ଏଇ ଭାରତରେ

ମୁମ୍ବାଇର କଲ୍ୟାଣ ରେଳ ଷ୍ଟେଶନକୁ ଗଲେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ପାଇବେ। ସେଠାରେ ଟ୍ରାନ୍ସଜେଣ୍ଡରମାନେ ଗରିବମାନଙ୍କୁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ (ଲଞ୍ଚ) ଦେଉଛନ୍ତି। ଜଳଖିଆ ଲାଗି ୧ ଟଙ୍କା ଓ ଲଞ୍ଚ ପାଇଁ ସେମାନଙ୍କୁ ମାତ୍ର ୧୦ ଟଙ୍କା ଦେବାକୁ ପଡ଼ୁଛି। ଲଞ୍ଚରେ ଭାତ, ଡାଲି, ରୁଟି ଓ ପରିବା ତରକାରି ଦେଉଛନ୍ତି। ଆଜିକା ଯୁଗରେ ବାସ୍ତବରେ ଏତେ ଶସ୍ତାରେ କିନ୍ନରମାନେ ଗରିବଙ୍କୁ ଖାଇବାକୁ ଦେବା ଏକ ମହତ ସେବା। ପାଖାପାଖି ୫,୦୦୦ କିନ୍ନର ‘ଖଓ୍ବିଶ’ ସଂସ୍ଥାରେ ରହି ଏହାକୁ ସଞ୍ଚାଳନ କରୁଛନ୍ତି। ଏହିି ସଂସ୍ଥାକୁ ପୁନମ ଆମ୍ମା ପ୍ରତିଷ୍ଠା କରିଥିଲେ। ଖାଦ୍ୟ ପାଇଁ ସେମାନେ ଅନୁଦାନ ସଂଗ୍ରହ କରୁଛନ୍ତି ସତ କିନ୍ତୁ ତାହା ପର୍ଯ୍ୟାପ୍ତ ନ ହେବାରୁ ନିଜ ହାତରୁ ବ୍ୟୟ କରୁଛନ୍ତି। ପ୍ରତିଦିନ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ସେମାନେ ରୋଷେଇ କରିବାଠାରୁ ଆରମ୍ଭ କରି ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟ କରୁଛନ୍ତି। ପ୍ରଥମ ଦିନ ସେମାନେ ୧୫୦ ଲୋକଙ୍କୁ ଖାଇବାକୁ ଦେଇଥିଲେ । ଏବେ ତାହା ବୃଦ୍ଧି ପାଇ ୫୫୦ରେ ପହଞ୍ଚିଲାଣି। କେବଳ ଏତିକି ନୁହେଁ ଗରିବଙ୍କ ଶିକ୍ଷା ଓ କୌଶଳ ବିକାଶ ପାଇଁ କିନ୍ନରମାନେ କାମ କରୁଛନ୍ତି। ସମୀର ଶେଖ୍‌ ଖଓ୍ବିଶ ସଂସ୍ଥାର ସମ୍ପାଦକ ରହିଛନ୍ତି। ପ୍ରଥମେ ଏହି ସଂସ୍ଥା ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳର ୪,୦୦୦ ପିଲାଙ୍କୁ ୨୦୨୧ରେ ପ୍ରଥମେ ସ୍କୁଲ ଉପକରଣ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲା।