ଏଇ ଭାରତରେ

ଛାତ୍ରମାନଙ୍କୁ ପଢ଼ାଇବା ପାଇଁ କେ.ଭି. ନାରାୟଣୀଙ୍କ କର୍ତ୍ତବ୍ୟ ପରାୟଣତା ସଭିଙ୍କ ପାଇଁ ଏକ ପ୍ରେରଣା। କେରଳର ଏହି ଶିକ୍ଷୟିତ୍ରୀଙ୍କ ବୟସ ୬୫। ଚିରୁଭାଥୁରରେ ସେ ସ୍ବାମୀଙ୍କ ସହ ଏକ ଭଡ଼ାଘରେ ରହୁଛନ୍ତି। ନାରାୟଣୀ ପିଲାମାନଙ୍କୁ ପଢ଼ାଇବା ଲାଗି ପ୍ରତିଦିନ ୨୫ କି.ମି.ଚାଲି ଚାଲି ଯାଉଛନ୍ତି । ପିଲାମାନଙ୍କୁ ଏକାଠି ଗୋଟିଏ ଜାଗାରେ ନୁହେଁ, ବରଂ ଘରକୁ ଘର ଯାଇ ସେମାନଙ୍କୁ ପଢ଼ାଉଛନ୍ତି। କସାରଗୁଡ଼ାର ଅନେକ ପିଢ଼ିର ଛାତ୍ରଙ୍କୁ ସେ ୫୦ ବର୍ଷ ହେଲା ପଢ଼ାଇଆସୁଛନ୍ତି। ଏବେ ସୁଦ୍ଧା ସେ ଅନେକ ଶହ ପିଲାଙ୍କୁ ପଢ଼ାଇସାରିଲେଣି। ତାଙ୍କୁ ସେଠାକାର ଲୋକେ ନାରାୟଣୀ ଶିକ୍ଷୟିତ୍ରୀ ବୋଲି ସମ୍ବୋଧନ କରୁଛନ୍ତି। ତାଙ୍କ ଦୈନନ୍ଦିନ ଜୀବନଶୈଳୀ ମଧ୍ୟ ଭିନ୍ନ। ସେ ଭୋର ୪.୩୦ ମିନିଟ୍‌ରେ ଉଠି ତାଙ୍କ ନିତ୍ୟକର୍ମ ଶେଷକରି ସକାଳ ୬.୩୦ ସୁଦ୍ଧା ପ୍ରଥମ ଛାତ୍ରଙ୍କ ଘରେ ପହଞ୍ଚିଯାଆନ୍ତି। ତା’ପରେ ଅନ୍ୟ ଛାତ୍ରମାନଙ୍କ ଘରକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିଆସନ୍ତି। ନାରାୟଣୀ ୧୯୭୧ରେ ମାଟ୍ରିକ ପାସ୍‌ କରିଛନ୍ତି। କେବେ କଲେଜ ଯାଇନାହାନ୍ତି। କିନ୍ତୁ ସେ ଇଂଲିଶ, ମାଲୟାଲମ, ହିନ୍ଦୀ ଓ ସଂସ୍କୃତ ଭଲ ଭାବେ ଜାଣିଛନ୍ତି। ସେ ୧୫ ବର୍ଷ ବୟସରୁ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ ଓ କେବେ ବି ସ୍କୁଲ ଶିକ୍ଷକ ହୋଇନାହାନ୍ତି।