ଏଇ ଭାରତରେ

ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର କମ୍‌ କରି ପରିବେଶ ପ୍ରଦୂଷଣ ରୋକିବାରେ ଦିଲ୍ଲୀର ଡ. ରୁବି ମଖିଜାଙ୍କ ପ୍ରୟାସ ପ୍ରଶଂସନୀୟ। ଜିନିଷ ନେବା ଲାଗି ସେ ଲୋକମାନଙ୍କୁ କପଡ଼ା ବ୍ୟାଗ୍‌ ମାଗଣାରେ ଦେଉଛନ୍ତି। ୨୦ ଟଙ୍କା ଜମାକରି ଲୋକେ ତାହା ନେଉଛନ୍ତି ଓ ବ୍ୟାଗ୍‌ ଦେବା ପରେ ଜମାରାଶି ଫେରିପାଉଛନ୍ତି। ୨୦୨୧ରେ ‘ବିକଳ୍ପ’ ଅଭିଯାନ ଆରମ୍ଭକରି ସେ ଏହି କାର୍ଯ୍ୟ କରୁଛନ୍ତି। କପଡ଼ା ବ୍ୟାଗ୍‌କୁ ଦିଲ୍ଲୀର ୩୦୦ରୁ ଊର୍ଦ୍ଧ୍ୱ ଦୋକାନରେ ଗ୍ରାହକଙ୍କୁ ଉପଲବ୍ଧ କରାଉଛନ୍ତି। ଏହାସହ ଦିଲ୍ଲୀରେ ଏଭଳି କପଡ଼ା ବ୍ୟାଗ୍‌ର ୩୫୦ ଷ୍ଟଲ୍‌ ଖୋଲିଛନ୍ତି ଡ.ରୁବି। ଦୋକାନରୁ ଗ୍ରାହକମାନେ ଜିନିଷ କିଣିବା ପରେ ଦୋକାନୀମାନେ ସେମାନଙ୍କୁ ଉକ୍ତ କପଡ଼ା ବ୍ୟାଗ୍‌ ନେବା ଲାଗି କହୁଛନ୍ତି। ଯେଉଁମାନେ ଚାହଁୁଛନ୍ତି ସେମାନଙ୍କୁ ବ୍ୟାଗ୍‌ ଦିଆଯାଉଛି। ଏହି କାର୍ଯ୍ୟରେ ଦିଲ୍ଲୀ ନଗର ନିଗମ ରୁବିଙ୍କୁ ସହଯୋଗ କରୁଛି। ବ୍ୟାଗ୍‌ରେ ୭-୮ କେଜି ଜିନିଷ ନେଇହେଉଛି। ବର୍ତ୍ତମାନ ସହରରେ ଲୋକମାନେ ୩୦-୪୦ ହଜାର ବ୍ୟାଗ୍‌ ଭଡ଼ାରେ ନେଇଛନ୍ତି। କପଡ଼ା ବ୍ୟାଗ୍‌ ତିଆରି କରିବା ଲାଗି ସେ ଟେଲର ଦୋକାନରୁ ବଳକା କପଡ଼ା ସଂଗ୍ରହ କରୁଛନ୍ତି। ଏହାବାଦ୍‌ ତାଙ୍କୁ କପଡ଼ା ବି ଦାନରେ ମିଳୁଛି। ଉକ୍ତ ବ୍ୟାଗ୍‌ ତିଆରି କରିବା ପାଇଁ ସେ ଅନେକ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ବର୍ଷ ସାରା ଗୋଟିଏ କପଡ଼ା ବ୍ୟାଗ୍‌ ବ୍ୟବହାର କଲେ ତାହା ଦ୍ୱାରା ୫୦୦ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଦୂର କରିପାରିବ ବୋଲି କହନ୍ତି ରୁବି। ଏଣୁ ‘ବିକଳ୍ପ’କୁ ଦିଲ୍ଲୀ ବାହାରକୁ ସମ୍ପ୍ରସାରିତ କରି ଅନ୍ୟ ସହରଗୁଡ଼ିକରେ ପ୍ରଦୂଷଣ କମାଇବା ସକାଶେ ସେ ଯୋଜନା କରିଛନ୍ତି।