ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟର ପ୍ରତୀକ ଭାବେ ଉଭା ହୋଇଛନ୍ତି ମହୀଶୂରର ଡା. ମହାଲକ୍ଷ୍ମୀ ଓ୍ବାଇ.ଏନ୍‌। ପେସାରେ ସେ ଜଣେ ଡାକ୍ତର। ଏସିଡ୍‌ ଆକ୍ରମଣର ଶିକାର ହୋଇ ଜୀବନରେ ଏକ ନିର୍ଯାତନାକୁ ସାମ୍ନା କରି ମହାଲକ୍ଷ୍ମୀ ରୋଗୀ ସେବାରେ ଲାଗିଛନ୍ତି। ସବୁଠୁ ବଡ଼ କଥା ହେଉଛି, ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କୁ ସାହାଯ୍ୟ କରୁଛନ୍ତି। ୧୧ ଜାନୁୟାରୀ ୨୦୦୧ରେ ସେ କ୍ଲିନିକକୁ ଯାଉଥିବା ସମୟରେ ତାଙ୍କ ଉପରକୁ ଜଣେ ଏସିଡ୍‌ ପିଙ୍ଗିଥିଲେ। ତାଙ୍କ ଶରୀରରେ ୨୦ଟି ବଡ଼ ଧରଣର ସର୍ଜରି ହୋଇଥିଲା ଓ ଏକବର୍ଷ ପରେ ସେ ସୁସ୍ଥ ହୋଇଥିଲେ। କିନ୍ତୁ ନ୍ୟାୟ ପାଇବା ଲାଗି ତାଙ୍କୁ ୧୧ ବର୍ଷ ଲଢ଼ିବାକୁ ପଡ଼ିଥିତ୍ଲା। ୨୦୧୨ରେ କର୍ନାଟକ ହାଇକୋର୍ଟ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ମହାଲକ୍ଷ୍ମୀ ତାଙ୍କ ପେସାକୁ ଫେରିଥିଲେ। ଏବେ ଅତି କମ୍‌ରେ ଦୈନିକ ୬୦-୮୦ ରୋଗୀ ଦେଖୁଛନ୍ତି। ବିଶେଷ କରି ମାନସିକ ସ୍ତରରେ ନର୍ଯାତିତ ବ୍ୟକ୍ତିମାନଙ୍କୁ ସେ ମାଗଣାରେ ଚିକିତ୍ସା କରିବା ସହ କାଉନସେଲିଂ କରୁଛନ୍ତି।