ଏଇ ଭାରତରେ

ସହରୀକରଣ ପ୍ରଭାବରେ ପକ୍ଷୀବଂଶ ଲୋପ ପାଉଥିବାରୁ ଏମାନଙ୍କୁ ରକ୍ଷା କରିବା ପରିବେଶ ଲାଗି ହିତକର ବୋଲି ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ ଅମିତ ଓ ଅଭିଷେକ ଜୈନ। ସେମାନେ ସହରର ବିଭିନ୍ନ ସ୍ଥାନରୁ ଆହତ ପକ୍ଷୀମାନଙ୍କୁ ଉଦ୍ଧାର କରୁଛନ୍ତି। ପରେ ସେମାନଙ୍କ ଚିକିତ୍ସା କରି ଛାଡି ଦେଉଛନ୍ତି। ଅମିତ ଜଣେ କେମିଷ୍ଟ ଓ ଅଭିଷେକଙ୍କର ଏକ ଦୋକାନ ରହିଛି। ନିଜ ପେସା ସହ ପକ୍ଷୀ ଉଦ୍ଧାର କରିବା ସେମାନଙ୍କ ନିଶା ପାଲଟିଯାଇଛି। ଏବେ ସୁଦ୍ଧା ଦୁଇ ଭାଇ ୧୫୦୦ରୁ ଊର୍ଦ୍ଧ୍ୱ ପକ୍ଷୀଙ୍କୁ ଉଦ୍ଧାର କରିସାରିଲେଣି। ୨୦୧୮ରେ ସେମାନେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ‘ବିଦ୍ୟାସାଗର ଜୀବ ଦୟା ପରିବାର’ ଟ୍ରଷ୍ଟ ଗଢ଼ି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ଏମାନଙ୍କ ପାଖକୁ ୫ରୁ ୧୦ କଲ୍‌ ଆସୁଛି। କଲ୍‌ ପାଇବା କ୍ଷଣି ସେମାନେ ସ୍ବେଚ୍ଛାସେବୀଙ୍କ ସହ ସେଠାରେ ପହଞ୍ଚି ପକ୍ଷୀକୁ ଉଦ୍ଧାର କରୁଛନ୍ତି। ଏମାନଙ୍କ ସହ ବହୁ ସ୍ବେଚ୍ଛାସେବୀ ଯୋଡ଼ି ହୋଇଛନ୍ତି। ଦିଲ୍ଲୀ, ଏନ୍‌ସିଆର୍‌ରେ ଏମାନେ ପକ୍ଷୀ ଉଦ୍ଧାର କାର୍ଯ୍ୟ କରିବା ସହ ବିଭିନ୍ନ ସ୍ଥାନରେ ପାରାମାନଙ୍କୁ ପ୍ରତିଦିନ ଖାଇବାକୁ ଦେଉଛନ୍ତି।