ଏଇ ଭାରତରେ

ବିନା ମାଟିରେ, କେବଳ ପାଣିରେ ଚାଷ(ହାଇଡ୍ରୋପୋନିକ୍ସ) କରିବା ଲାଗି ୫୦୦୦ କୃଷକଙ୍କୁ ସାହାଯ୍ୟ କରି ଏକ ଉଦାହରଣ ପାଲଟିଛନ୍ତି ଗୌରବ ନାରଙ୍ଗ। ସେ ଆଇଆଇଏମ୍‌ କୋଲ୍‌କାତାରୁ ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ଫାର୍ମା ସେକ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୭ରେ ତାହାକୁ ଛାଡ଼ି ସେ ଓ ତାଙ୍କ ସ୍ତ୍ରୀ ‘ସିଟି ଗ୍ରୀନ୍‌’ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ହାଇଡ୍ରୋପୋନିକ୍ସ ଚାଷକୁ ସମ୍ପ୍ରସାରିତ କରୁଛନ୍ତି। ଉକ୍ତ କାର୍ଯ୍ୟରେ ୨୦୨୦ରେ କୋଲ୍‌କାତା ଆଇଆଇଏମ୍‌ରୁ ଡିଗ୍ରୀ ହାସଲ କରିଥିବା ରାହୁଲ ଇଣ୍ଡୋରକର ମଧ୍ୟ ଯୋଗଦେଇଥିଲେ। ନାରଙ୍ଗ ଓ ତାଙ୍କ ଟିମ୍‌ କୃଷକମାନଙ୍କୁ ଟେକ୍ନୋଲୋଜି ସହାୟତାଠାରୁ ଆରମ୍ଭ କରି ଫାର୍ମ ପ୍ରତିଷ୍ଠା ଯାଏ ସହଯୋଗ କରୁଛନ୍ତି। ନ୍ୟୁଟ୍ରିଣ୍ଟ, ଲାଇଟ୍‌ ଏବଂ ଅନ୍ୟ ସମସ୍ତ ଆବଶ୍ୟକତା ପୂରଣ କରୁଛି ସିଟି ଗ୍ରୀନ୍‌। ଏହାଦ୍ୱାରା କୃଷକମାନେ ଉପତ୍ାଦନକୁ ୧୨ ଗୁଣ ବୃଦ୍ଧି କରିବାକୁ ସକ୍ଷମ ହୋଇପାରିଛନ୍ତି। କୃଷକମାନଙ୍କ ଉପତ୍ାଦର ମାର୍କେଟିଂ ପାଇଁ ସବୁପ୍ରକାର ବ୍ୟବସ୍ଥା ମଧ୍ୟ କରୁଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ଭାରତର ବିଭିନ୍ନ ସହରରେ ୨୫ରୁ ଊର୍ଦ୍ଧ୍ୱ ଫାର୍ମ କରାଯାଇପାରିଛି। ଏହା ବ୍ୟତୀତ ଆଲମୋରା, ହରିଦ୍ୱାର, ଅହମ୍ମଦାବାଦ, ବରୋଦା, କୋଏମ୍ବାଟୁର, ହାଇଦ୍ରାବାଦ ଆଦି ସହରରେ ଇନ୍‌ଡୋର ଭର୍ଟିକାଲ ହାଇଡ୍ରୋପୋନିକ୍ସ ଫାର୍ମ ବି ପ୍ରତିଷ୍ଠା କରାଯାଇଛି। ସିଟି ଗ୍ରୀନ୍‌ର ଏଭଳି ଅଭିଯାନକୁ ଲକ୍ଷ୍ୟ କରି ସରକାର ୬୫ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି।