ଏଇ ଭାରତରେ

ଭୋକିଲାଙ୍କ ପେଟ ଭରୁଛନ୍ତି ମୁମ୍ବାଇର ଟ୍ରାନ୍ସଜେଣ୍ଡରମାନେ। ଏହି ସମୁଦାୟର ୫,୦୦୦ ଜଣ ଏକାଠି ଏକ କମ୍ୟୁନିଟି କିଚେନ କରି ଭୋକିଲାମାନଙ୍କୁ ୧ଟଙ୍କାରେ ଜଳଖିଆ ଓ ୧୦ ଟଙ୍କାରେ ମଧ୍ୟାହ୍ନଭୋଜନ ଯୋଗାଇ ଦେଉଛନ୍ତି। ମୁମ୍ବାଇ କଲ୍ୟାଣ ରେଲଓ୍ବେ ଷ୍ଟେଶନ ନିକଟରେ ସେମାନେ ଲୋକଙ୍କୁ ଖାଦ୍ୟ ଦେବାର ବ୍ୟବସ୍ଥା କରିଛନ୍ତି। ସେମାନେ ଖ୍ବାହିଶ ଫାଉଣ୍ଡେଶନ ଗଠନ କରି ତା ’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ପ୍ରଥମେ ପୁନମ୍‌ ଆମ୍ମା ଏହି ସଂସ୍ଥା ଆରମ୍ଭ କରିଥିଲେ ଓ ପରେ ଅନ୍ୟମାନେ ଏହା ସହ ସାମିଲ ହୋଇଛନ୍ତି। ଏବେ ରୋଷେଇ କାର୍ଯ୍ୟରେ ୧୫ ଜଣ କର୍ମଚାରୀ ରହିଛନ୍ତି। ଲୋକମାନେ ଧାଡ଼ିରେ ରହି ଖାଦ୍ୟ ନେଉଛନ୍ତି। ଏହା ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏ ଚାଲୁଛି। ପ୍ରତିଦିନ ୮୦୦ରୁ ଊର୍ଦ୍ଧ୍ୱ ଲୋକ ଖାଉଛନ୍ତି। ଖାଦ୍ୟ ବାବଦରେ ଖର୍ଚ୍ଚ ଭରଣା କରିବା ଲାଗି ପାଖାପାଖି ୩୦୦ ଟ୍ରାନ୍ସଜେଣ୍ଡର ଦୈନିକ ୨୦୦ ଟଙ୍କା ଦେଉଛନ୍ତି, ଆଉ ଯାହା ଆବଶ୍ୟକ ତାହା ଦାନରୁ ପୂରଣ କରାଯାଉଛି। ଏହି ଦାନ କେବଳ ରାଶନ ଆକାରରେ ଗ୍ରହଣ କରାଯାଉଛି। କମ୍ୟୁନିଟି କିଚେନକୁ ଥାଣେ ଜିଲାପାଳ ରାଜେଶ ନର୍ଭେକର ଉଦ୍‌ଘାଟନ କରିଥିଲେ।