ଏଇ ଭାରତରେ

ପଢ଼ିବା ସମୟରେ ଅଭାବକୁ ଅତି ନିକଟରୁ ଦେଖିଥିଲେ ମନୋଜ ଯାଦବ । ସେଭଳି ସ୍ଥିତି ଆଉ କେଉଁ ପିଲା ସମ୍ମୁଖୀନ ନ ହେବା ଲାଗି ସେ ଶିକ୍ଷାଦାନର ଅଭିନବ ଉପାୟ ଆରମ୍ଭ କରିଛନ୍ତି। ସେ ବାରାଣସୀର ୧୫ଟି ଗାଁର ବସ୍ତିରେ ରହୁଥିବା ୫୦୦ ଗରିବ ପିଲାଙ୍କୁ ମାଗଣାରେ ପଢ଼ାଇ ଶିକ୍ଷାର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି। ମନୋଜ ବାରାଣସୀର ପନ୍ଦରପୁରରେ ରହୁଛନ୍ତି। ଗରିବ ପିଲାମାନଙ୍କୁ ମାଗଣାରେ ପଢ଼ାଉଥିବା ମନୋଜ ଗରିବ ପରିବାରରୁ ଆସିଛନ୍ତି। ତାଙ୍କ ମା’ ଓ ବାପା ଦିନମଜୁରିଆ ଭାବେ କାମ କରି ଘର ଚଳାଉଥିଲେ। ତେବେ ଦାରିଦ୍ର୍ୟ ଯୋଗୁ ବେଶି ପଢ଼ିପାରିଲେ ନାହିଁ ମନୋଜ। ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କୁ ବୟସ ୩୫। ବିଗତ ୫ ବର୍ଷ ହେଲା ବସ୍ତିକୁ ଯାଇ ପିଲାଙ୍କୁ ପଢ଼ାଉଛନ୍ତି। ପ୍ରଥମେ ସେ ତାଙ୍କ ଗାଁ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ପରେ ପିଲାସଂଖ୍ୟା ବଢ଼ିବା ଯୋଗୁ ସେ ତାଙ୍କ ମା’ଙ୍କ ନାମରେ ୨୦୧୯ରେ ‘ପ୍ରଭାବତୀ ଓ୍ବେଲଫେୟାର ଫାଉଣ୍ଡେଶନ’ ଗଠନ କରି ଏହା ମାଧ୍ୟମରେ ଉକ୍ତ ଅଭିଯାନକୁ ଗତିଶୀଳ କରିଛନ୍ତି। ଅନେକ ଯୁବକ ଚାକିରି ଛାଡ଼ି ଏହି କାର୍ଯ୍ୟରେ ମନୋଜଙ୍କ ସହ ଯୋଡ଼ି ହୋଇଛନ୍ତି।