ଏଇ ଭାରତରେ

ସଡ଼କ ଦୁର୍ଘଟଣାରେ ସାଙ୍ଗଙ୍କ ମୃତ୍ୟୁ ପରେ ନିଲୟ ଅଗ୍ରଓ୍ବାଲଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆସିଛି। ନିଲୟଙ୍କ ସାଥୀ ବିଶାଲାକ୍ଷୀଙ୍କର ୨୦୧୮ରେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ମୃତିରେ ସେ ବିିଶାଲାକ୍ଷୀ ଫାଉଣ୍ଡେଶନ ଗଠନ କରି ଗରିବ ଲୋକମାନଙ୍କ ସେବା କରୁଛନ୍ତି ଓ ବସ୍ତିର ପିଲାମାନଙ୍କୁ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ସେ ଏବେ ଗୁଗ୍‌ଲ ଇଣ୍ଡିଆ, ଦିଲ୍ଲୀରେ କାର୍ଯ୍ୟରତ। ବସ୍ତି ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ସେ ‘ପ୍ରୋଜେକ୍ଟ ଡ୍ରିମ୍‌ ସ୍କୁଲ’ ପ୍ରତିଷ୍ଠା କରିଛନ୍ତି। ପ୍ରଥମେ ୨୦୨୦ ଜୁନ୍‌ରେ ଗୋଟିଏ ସ୍କୁଲ ପ୍ରତିଷ୍ଠା କରିବା ପରେ ଏବେ ଦେଶର ବିଭିନ୍ନ ସ୍ଥାନରେ ୧୭ଟି ଏଭଳି ସ୍କୁଲ ଚଳାଉଛନ୍ତି। ଏହି ସ୍କୁଲଗୁଡ଼ିକରେ ୨,୦୦୦ରୁ ଅଧିକ ବସ୍ତିପିଲା ପଢୁଛନ୍ତି। ପ୍ରାଥମିକ ଶିକ୍ଷା ଦେବା ପରେ ସେମାନଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସହ ୪,୦୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଯୋଡ଼ି ହୋଇଛନ୍ତି। ସମସ୍ତେ ବ୍ୟକ୍ତିଗତ ସ୍ତରରେ ଯଥାସମ୍ଭବ ଆର୍ଥିକ ସାହାଯ୍ୟ ମଧ୍ୟ କରୁଛନ୍ତି। ଜଣେ ପିଲାଙ୍କ ପିଛା ପ୍ରତି ମାସରେ ୧,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ନିଲୟ ସବୁ ଖର୍ଚ୍ଚ ଲୋକଙ୍କଠାରୁ ପ୍ରାପ୍ତ ଅନୁଦାନରେ ହିଁ ଚଳାଉଛନ୍ତି।