ଏଇ ଭାରତରେ

୯ ଏକର ଶୁଷ୍କ ଜମିରେ ପରିସଂସ୍ଥା ସହନୀୟ ପର୍ଯ୍ୟଟନ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ମଣିପୁରର ସ୍ଥପତି ମନ୍ନାର ରାୟ। କଟଲାମାରା ଅଞ୍ଚଳରେ ସେ ଏହି ବାଉଁଶ ଗାଁ ବିକାଶ କରିଛନ୍ତି। ଏହାର ନାମ ଦେଇଛନ୍ତି ବାଶ୍‌ଗ୍ରାମ। ଏଠାରେ ସେ ୧୪ ପ୍ରକାର ବାଉଁଶ ରୋପଣ କରିଛନ୍ତି। ବାଶ୍‌ଗ୍ରାମରେ ଯୋଗ କେନ୍ଦ୍ର, ଖେଳପଡ଼ିଆ, ସ୍କୁଲ ଓ ଛାତ୍ରାବାସ ରହିଛି। ସବୁ ଘର ବାଉଁଶରେ ନିର୍ମିତ ଓ ଏଥିରେ ସ୍ଥାନୀୟ ପ୍ରାକୃତିକ ସଂସାଧନ ଉପଯୋଗ କରାଯାଇଛି। ତା’ ମଧ୍ୟରେ ଥିବା କ୍ଷୀଣ ଜଳସ୍ରୋତ ଉପରେ ବାଉଁଶରେ ପୋଲ ଓ ରାସ୍ତା ମଧ୍ୟ ବାଉଁଶରେ ନିର୍ମାଣ ହୋଇଛି। ରାୟ ଏହି ପର୍ଯ୍ୟଟନ ଗାଁକୁ ଚୂଡ଼ାନ୍ତ ରୂପ ଦେବା ଲାଗି ୬୦ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ବାଶ୍‌ଗ୍ରାମରେ ଏକ ମ୍ୟୁଜିୟମ୍‌ ପ୍ରତିଷ୍ଠା କରିଛନ୍ତି। ପରିବେଶକୁ କ୍ଷତି ନ କରି ପ୍ରାକୃତିକ ସଂସାଧନରେ କଟଲାମାରା ଅଞ୍ଚଳକୁ ଏକ ବିଶ୍ୱସ୍ତରୀୟ ତଥା ପରିବେଶ ସହନୀୟ ପର୍ଯ୍ୟଟନ କେନ୍ଦ୍ର କରିବାକୁ ସେ ଯୋଜନା କରିଛନ୍ତି।