ଏଇ ଭାରତରେ

ଦିନମଜୁରିଆଙ୍କ ଅଭାବୀ ଜୀବନର ଦୁଃଖକୁ ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ। ସେମାନେ ଦିନମଜୁରିଆମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ବ୍ରିଗେଡିୟର ପ୍ରେମ୍‌ଜିତ ସିଂ ପାନେସର ଓ କରମ୍‌ଜିତ ସିଂ ‘ବୀରଜିକା ଡେରା’ର ସ୍ବେଚ୍ଛାସେବୀମାନଙ୍କ ସାହାଯ୍ୟରେ ମେଡିକାଲ କ୍ୟାମ୍ପ ଆୟୋଜନ କରୁଛନ୍ତି। ଚାକିରିରୁ ଅବସର ନେବା ପରେ ଗରିବଙ୍କ ସେବା ଲାଗି ୧୯୮୯ରେ ‘ବୀରଜିକା ଡେରା ’ ଆରମ୍ଭ କରିଥିଲେ ତ୍ରିଲୋଚନ ସିଂ। ପରେ ତାଙ୍କ ଦୁଇ ପୁତ୍ର ପ୍ରେମ୍‌ଜିତ ଓ କରମ୍‌ଜିତ ଏହାକୁ ଚଳାଉଛନ୍ତି। ଦିଲ୍ଲୀ ରାସ୍ତାରେ ସକାଳୁ ଶ୍ରମିକମାନେ ଧାଡ଼ିରେ ରହି ପରୀକ୍ଷା କରିବା ସହ ଚିକିତ୍ସା ଲାଭ କରୁଛନ୍ତି। ଦିନକୁ ତାଙ୍କ ଟିମ୍‌ ୩୫୦ରୁ ୪୦୦ ଶ୍ରମିକଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ପ୍ରତିଦିନ ସକାଳ ୭ଟାରେ ସ୍ବେଚ୍ଛାସେବୀ ଗ୍ରୁପ୍‌ ଏହି ସେବା ଆରମ୍ଭ କରୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ସଂସ୍ଥା ମଧ୍ୟ ଦିଲ୍ଲୀର ଦଶରଥପୁରୀରେ ୬୫ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ କରିଛନ୍ତି। ଆବଶ୍ୟକ ହେଲେ ଏଠାରୁ ରୋଗୀମାନଙ୍କୁ ଏମ୍ସ ଓ ଦୀନ୍‌ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପଠାଯାଉଛି।