ଏଇ ଭାରତରେ

କେବଳ ମହିଳାମାନେ ଚଳାଉଥିବା ଏକ ହାଟ ରହିଛି ମଣିପୁର ଇମ୍ଫାଲରେ। ଏହା ଏସିଆର ସବୁଠୁ ବଡ଼ ମହିଳା ସଞ୍ଚଳିତ ହାଟ, ସମ୍ଭବତଃ ପୃଥିବୀରେ ମଧ୍ୟ। ଇମାକୈଥଲ ମାର୍କେଟ ନାମକ ଏହି ହାଟ ୫୦୦ ବର୍ଷର ପୁରୁଣା ।
ଇମାକୈଥଲ ମାର୍କେଟ କହିଲେ ‘ମା’ଙ୍କ ହାଟ’ ବୋଲି ବୁଝାଯାଏ। ଇମ୍ଫାଲର ମଧ୍ୟଭାଗରେ ଥିବା ଉକ୍ତ ହାଟରେ ପ୍ରତିଦିନ ୫୦୦୦ରୁ ଊର୍ଦ୍ଧ୍ୱ ମହିଳା ବ୍ୟବସାୟୀ ହସ୍ତକଳାଠାରୁ ଆରମ୍ଭ କରି ପୋଷାକ,ସ୍ଥାନୀୟ ଉପତ୍ାଦ ଓ ମାଛ ଆଦି ବିକ୍ରି କରିଥାନ୍ତି। ଏହି ହାଟ ଷୋଡ଼ଶ ଶତାବ୍ଦୀର ହାଟ ବୋଲି ବହୁ ଗବେଷକ ମତ ଦିଅନ୍ତି। ଏହାର ଐତିହାସିକ ଓ ପୌରାଣିକ ମହତ୍ତ୍ୱ ରହିଛି। ସେତେବେଳେ ପୁରୁଷମାନଙ୍କୁ ଦୂର ସ୍ଥାନରେ କୃଷି କାର୍ଯ୍ୟରେ କିମ୍ବା ଯୁଦ୍ଧରେ ନିୟୋଜିତ କରାଯାଉଥିଲା। ଫଳରେ ମହିଳାମାନେ ଗାଁରେ ରହି ଚାଷ କରିବା ସହ ସେମାନଙ୍କ ଉପତ୍ାଦିତ ଜିନିଷ ବିକ୍ରି କରୁଥିଲେ। ଏହି ଧାରାରୁ ଉକ୍ତ ହାଟ ସୃଷ୍ଟି ହୋଇଥିଲା ବୋଲି ଅନେକ ଗବେଷକଙ୍କ ମତ। ଇଂରେଜମାନେ ଏହି ହାଟର ଘରଗୁଡ଼ିକୁ ବିଦେଶୀ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ଚେଷ୍ଟା କରିବାରୁ ମହିଳାମାନେ ବିରୋଧ କରିଥିଲେ। ସେମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ୧୯୩୯ରେ, ଯାହାକୁ କୁହାଯାଏ ‘ଓମେନ୍ସ୍‌ ଓ୍ବାର’। ଶେଷରେ ମହିଳାଙ୍କ ଆଗରେ ଇଂରେଜମାନେ ହାର ମାନିଥିଲେ।