ଏଇ ଭାରତରେ

ମାଟି ଫ୍ରିଜ୍‌ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହାକୁ ତିଆରି କରୁଛନ୍ତି ତାମିଲନାଡୁ କୋଏମ୍ବାଟୁରର କୁମ୍ଭକାର ଏମ୍‌.ଶିବସାମୀ। ଉକ୍ତ ଫ୍ରିଜ୍‌ ସମ୍ପୂର୍ଣ୍ଣ ପରିବେଶ ସହନୀୟ। ଏଥିରେ ବିଦ୍ୟୁତ୍‌ ଶକ୍ତି ଦରକାର ପଡ଼ୁନାହିଁ। ଉକ୍ତ ଫ୍ରିଜ୍‌ରେ ପନିପରିବା, ଫଳ, ଦହି ଆଦି ୪ଦିନ ଯାଏ ଫ୍ରେଶ୍‌ ରହିପାରୁଛି। ଶିବସାମୀ ଦୁଇ ପ୍ରକାର ଫ୍ରିଜ୍‌ ଗଢ଼ିଛନ୍ତି। ଗୋଟିଏର ଉଚ୍ଚତା ୧.୫ ଫୁଟ ଓ ଅନ୍ୟଟିର ଉଚ୍ଚତା ୨ ଫୁଟ ଏବଂ ଏହାର ମୂଲ୍ୟ ଯଥାକ୍ରମେ ୧,୭୦୦ ଓ ୧,୮୦୦ ଟଙ୍କା ରଖିଛନ୍ତି। ଏବେ ସୁଦ୍ଧା ଶିବସାମୀ ୧୦୦ଟି ଫ୍ରିଜ୍‌ ବିକ୍ରି କରିସାରିଲେଣି। ଫ୍ରିଜ୍‌ ନିର୍ମାଣ କୌଶଳ ଅତି ସରଳ ବୋଲି କହନ୍ତି ଶିବସାମୀ। ଏକ ବଡ଼ ଆକୃତିର ପାତ୍ରରେ ଗୋଟିଏ ପାର୍ଶ୍ୱରେ ଜଳ ଭରିବା ସହ ଅନ୍ୟ ପାଖରେ ଜଳ ନିଷ୍କାସନ ହେବାର ବ୍ୟବସ୍ଥା ରଖିଛନ୍ତି ଏବଂ ଏହା ମଧ୍ୟରେ ଆଉ ଏକ ଛୋଟ ପାତ୍ରରେ ଜିନିଷ ରଖାଯିବାର ବ୍ୟବସ୍ଥା କରିଛନ୍ତି। ବଡ଼ ପାତ୍ରରେ ରହୁଥିବା ପାଣି ଛୋଟ ପାତ୍ରକୁ ଥଣ୍ଡା ରଖୁଛି ଏବଂ ଏହା ଯୋଗୁ ସେଥିରେ ପନିପରିବା ଓ ଫଳ ଆଦି ଫ୍ରେଶ୍‌ ରହୁଛି। ଶିବସାମୀ ମାସକୁ ୧୦ଟି ଫ୍ରିଜ୍‌ ନିର୍ମାଣ କରିପାରୁଛନ୍ତି। ବିନା ବିଦ୍ୟୁତ୍‌ ଉପଯୋଗରେ ଲୋକେ କିଭଳି ଲାଭ ପାଇବେ ଏବଂ ପରିବେଶ ସୁସ୍ଥ ରହିବ ତାହାକୁ ଲକ୍ଷ୍ୟ କରି ସେ ଏଭଳି ଫ୍ରିଜ୍‌ ନିର୍ମାଣ କରୁଛନ୍ତି ଓ ଆଗକୁ ଆଉ କିଛି ଜିନିଷ ବିକାଶ କରିବା ଲାଗି ଯୋଜନା ରଖିଥିତ୍ବା କହନ୍ତି ଶିବସାମୀ ।