ଏଇ ଭାରତରେ

ଆଦିବାସୀ ଓ ଅସହାୟ ସମୁଦାୟଙ୍କ ପିଲା ଏବଂ ଅନାଥମାନଙ୍କ ଆଶାବାଡ଼ି ପାଲଟିଛନ୍ତି ପୁଡୁଚେରୀର ଆଲିସ୍‌ ଥୋମାସ୍‌। ସେ ଦୀର୍ଘ ୩୨ ବର୍ଷ ହେଲା ଏଭଳି ପିଲାମାନଙ୍କୁ ଶିକ୍ଷା ଦେଇ ବିଭିନ୍ନ ଚାକିରି ପାଇଁ ଯୋଗ୍ୟ କରିପାରିଛନ୍ତି। ମୋଟ୍‌ରେ ୧୫୦ ପିଲା ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ଆଲିସ୍‌ଙ୍କୁ ୨୧ ବର୍ଷ ହୋଇଥିବାବେଳେ ସେ ପ୍ରଥମେ ଜଣେ ଅସହାୟ ପିଲାକୁ ଘରକୁ ଆଣି ରଖି ତାକୁ ପଢ଼ାଇଥିଲେ। ପରେ ଅଧିକ ପିଲା ତାଙ୍କ ପାଖକୁ ଆସିବାରୁ ରହୁଥିବା ଘର ପାଖରେ ଏକ ଘର ଭଡ଼ା ନେଲେ। ପିଲାସଂଖ୍ୟା ବୃଦ୍ଧି ପାଇବାରୁ ସେ ‘ଉଦ୍ଧବୀ ଗରାଙ୍ଗଲ’ ଏନ୍‌ଜିଓ ଗଠନ କରି ତାଙ୍କ ପେସାକୁ ଆଗକୁ ବଢ଼ାଇଥିଲେ। ସେ ମଧ୍ୟ ଏକ ସ୍କୁଲ ଖୋଲିଛନ୍ତି। ସେଠାରେ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ସହ ଭୋକେଶନାଲ ପ୍ରଶିକ୍ଷଣ ଦେଉଛନ୍ତି। ଏହି ସ୍କୁଲ ସେ ପୁଡୁଚେରୀର ନୋନାନ୍‌କୁଷ୍ଟାମ୍‌ରେ ଚଳାଇଛନ୍ତି। ପିଲାମାନଙ୍କ ରହିବା, ଖାଇବା ଓ ପିଇବା ଖର୍ଚ୍ଚ ସେ ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନ ଓ ସରକାରୀ ଅନୁଦାନରେ ଚଳାଇଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ଯେଉଁ ପିଲାମାନଙ୍କୁ ଆଲିସ୍‌ ଆରମ୍ଭରୁ ପଢ଼ାଇଥିଲେ ସେମାନଙ୍କ ମଧ୍ୟରୁ ବିଭିନ୍ନ ପଦପଦବୀରେ ରହି ଏଥିଲାଗି ଆର୍ଥିକ ସହଯୋଗ କରିବାରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସ୍କୁଲରେ ଅନ୍ୟ ଅବହେଳିତ ପିଲାମାନଙ୍କୁ ପଢ଼ାଉଛନ୍ତି।