ଏଇ ଭାରତରେ

ଏମିତି ସ୍କୁଲ ଯେଉଁଠି ଘର ନାହିଁ କି ଶ୍ରେଣୀ ବ୍ୟବସ୍ଥା ନାହିଁ କିମ୍ବା ପରୀକ୍ଷା କରାଯାଏ ନାହିଁ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମହାରାଷ୍ଟ୍ରର ଏକ ଦମ୍ପତିଙ୍କ ଦ୍ୱାରା ଏମିତିକା ଏକ ସ୍କୁଲ ଚାଲିଛି। ସଚିନ ଦେଶାଇ ଓ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଉକ୍ତ ସ୍କୁଲ ନାମ ‘ସ୍ୟାମନ୍ତକ’ ବା ଜୀବନର ବିଶ୍ୱବିଦ୍ୟାଳୟ। ସ୍କୁଲର ପାଠ୍ୟକ୍ରମରେ ରହିଛି ନିଆରା ବ୍ୟବସ୍ଥା। ପାରମ୍ପରିକ ଶିକ୍ଷା ସହ ବାସ୍ତବ ବିଶ୍ୱର ସମସ୍ୟାକୁ ମୁକାବିଲା କରି ଏକ ଉତ୍କୃଷ୍ଟ ଜୀବନ ଜିଇବାର କଳା ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି। ମହାରାଷ୍ଟ୍ର ଧାମପୁର ଜଙ୍ଗଲରେ ଏହି ସ୍କୁଲ ଅଛି। ଦମ୍ପତି ଏହାକୁ ୨୦୦୭ରେ ପ୍ରତିଷ୍ଠା କରିଥିଲେ ଓ ତାଙ୍କ ଝିଅ ଥିଲେ ଏହାର ପ୍ରଥମ ଛାତ୍ରୀ। ପରେ ଅନେକ ଶହ ପିଲା ଏହି ସ୍କୁଲରେ ଯୋଡ଼ି ହୋଇଛନ୍ତି। ସେମାନଙ୍କୁ କୃଷି, ପରିବେଶ ଏବଂ ସଂସ୍କୃତି ସହ ରୋଷେଇ, ପରିବେଶ ସହନୀୟ ସ୍ଥିତିରେ କୁଶଳୀ ହେବା ଉପରେ ଗୁରୁତ୍ୱ ଦେଉଛନ୍ତି ଉକ୍ତ ଦମ୍ପତି। ସ୍କୁଲରୁ ଏଭଳି ଶିକ୍ଷା ଲାଭକରି ଅନେକ ପିଲା ଫୁଡ୍‌ ଲାବ୍‌ରେ କାର୍ଯ୍ୟ କରୁଛନ୍ତି। ଉକ୍ତ ସ୍କୁଲର ଏକ ଏଣ୍ଟରପ୍ରେନ୍ୟୁୟର ସଂସ୍ଥା ରହିଛି; ଯାହାର ନାମ ‘ସ୍ବୟଂ’। ଏଠାରେ ପିଲାମାନେ ଫଳ,ସପୁରିରୁ ଆଚାର ପ୍ରସ୍ତୁତ କରୁଛନ୍ତି। ଏସବୁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ କରାଯାଉଛି। ଏହା ବ୍ୟତୀତ ହଳଦୀଗୁଣ୍ଡ, ସାବୁନ ମଧ୍ୟ ତିଆରି କରୁଛନ୍ତି।