ଏଇ ଭାରତରେ

ବ୍ୟବହୃତ ରନ୍ଧାତେଲ ସଂଗ୍ରହ କରି ତାହାକୁ ବାୟୋଫୁଏଲ ବା ଜୈବଇନ୍ଧନ କରୁଛନ୍ତି ଦିଲ୍ଲୀର ଏକ ଦମ୍ପତି। ରାଜସ୍ଥାନ ବୁନ୍ଦି ଜିଲାର ମୂଳ ନିବାସୀ କୀର୍ତ୍ତି ଓ ସୁଶୀଲ ବୈଷ୍ଣବ ଛୋଟ ଜଳଖିଆ ଓ ରେସ୍ତୋରଁାଗୁଡ଼ିକରୁ ବ୍ୟବହୃତ ରନ୍ଧାତେଲ ସଂଗ୍ରହ କରି ସେଥିରୁ ପରିବେଶ ସହନୀୟ ଇନ୍ଧନ ପ୍ରସ୍ତୁତ କରୁଛନ୍ତି; ଯାହା ଜୀବାଶ୍ମ ଇନ୍ଧନ ତୁଳନାରେ ୮୦% କମ୍‌ କାର୍ବନ ନିର୍ଗମନ କରୁଛି। ୨୦୧୯ରେ ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ରେସ୍ତୋରଁା କିମ୍ବା ଜଳଖିଆ ଦୋକାନଗୁଡ଼ିକ ରନ୍ଧା ତେଲକୁ ତିନି ଥରରୁ ଅଧିକ ବ୍ୟବହାର କରିପାରିବେ ନାହିଁ ବୋଲି ଘୋଷଣା କରିବା ପରେ ଉକ୍ତ ଦମ୍ପତି ତାହାର ପୁନଃ ଉପଯୋଗ କଥା ଚିନ୍ତା କରିଥିଲେ। ପରେ ସେମାନେ କେଏନ୍‌ପି ଆରିଜ୍‌ ନାମକ ଷ୍ଟାର୍ଟଅପ୍‌ ଗଠନ କରି ବ୍ୟବହୃତ ତେଲ ସଂଗ୍ରହ କରି ତାହାକୁ ବାୟୋଫୁଏଲ କରୁଛନ୍ତି। ଏବେ ସୁଦ୍ଧା ସେମାନେ ୪୦ରୁ ଅଧିକ ସହରରୁ ୩ ମିଲିୟନ ଲିଟର ବ୍ୟବହୃତ ଖାଇବା ତେଲ ସଂଗ୍ରହ କରିସାରିଛନ୍ତି। ଏହା ସହ ସେମାନେ ବିଭିନ୍ନ ବର୍ଜ୍ୟକୁ ୧୦୦ ପ୍ରତିଶତ ରିସାଇକେଲ କରିବାକୁ ଯୋଜନା କରିଛନ୍ତି। ସୁଶୀଲ ଫୁଡ ଟେକ୍ନୋଲୋଜି ସହ ଏମ୍‌ବିଏ କରିଛନ୍ତି। କୀର୍ତ୍ତି ଇଲେକ୍‌ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଛନ୍ତି। ସେ ଏବେ ବାୟୋଡିଜେଲ ପ୍ରସ୍ତୁତ କରିବାକୁ ତାଙ୍କର ପ୍ଲାଣ୍ଟ ସ୍ଥାପନ କରିନାହାନ୍ତି। ଏଥିପାଇଁ ସେମାନେ ଅନ୍ୟ କମ୍ପାନୀ ଉପରେ ନିର୍ଭରଶୀଳ। ଏହି ଜୈବଇନ୍ଧନକୁ ପ୍ରମୁଖ ପବ୍ଲିକ ସେକ୍ଟର ଅଏଲ ମାର୍କେଟିଂ କମ୍ପାନୀକୁ ବିକ୍ରି କରୁଛନ୍ତି।