ଏଇ ଭାରତରେ

ଭାରତରେ ଜନ୍ମିତ ଅନେକ ବ୍ୟକ୍ତି ନିଜ ଦେଶରେ ବଢ଼ି, ପଢ଼ି ବିଦେଶରେ ପ୍ରତିଷ୍ଠିତ ହେବା ପରେ ଜନ୍ମମାଟିକୁ ଅଣଦେଖା କରିବା ଦେଖାଯାଏ। କିନ୍ତୁ ମହାରାଷ୍ଟ୍ରର ଦତ୍ତ ପାଟିଲ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭିନ୍ନ। ସେ ଜଳ ସଙ୍କଟ ଜିଲା ଲାଟୁରର ହଲଗରା ଗାଁରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଉଚ୍ଚଶିକ୍ଷା ଲାଭକରି ଆମେରିକାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ। କିନ୍ତୁ ପ୍ରତିବର୍ଷ ଥରେ ସେ ଗାଁକୁ ଆସୁଛନ୍ତି ଓ ଜଳସଙ୍କଟ ଦୂର କରିବା ଅଭିଯାନ ବି ଆରମ୍ଭ କରୁଛନ୍ତି। ଦତ୍ତ ତାଙ୍କ ଗାଁ ଓ ଆଖପାଖ ଅଞ୍ଚଳରେ ଜଳ ସଙ୍କଟ ଦୂର କରିବା ଲାଗି ଜଳାଶୟ ଖୋଳି ଭୂତଳ ଜଳସ୍ତର ବୃଦ୍ଧି କରିବା ସହ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରୁଛନ୍ତି। ଏହା ବ୍ୟତୀତ ସେ ୨୦ କିମି ପରିତ୍ୟକ୍ତ କେନାଲରୁ ମଇଳା ସଫା କରିବା ସହ ୨୦ଟି ରିଚାର୍ଜ ଓ୍ବେଲ୍‌ ଓ ୨୬ଟି ଚେକ୍‌ଡ୍ୟାମ୍‌ ନିର୍ମାଣ କରିଛନ୍ତି। ଏ ବାବଦରେ ଦତ୍ତ ନିଜ ପକେଟରୁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଏହା ବ୍ୟତୀତ ସେ ଆମେରିକାରେ ତାଙ୍କ ସହକର୍ମୀଙ୍କୁ ଜଳ ସଙ୍କଟ ସମ୍ପର୍କରେ ଅବଗତ କରି ପାଣ୍ଠି ଯୋଗାଡ଼ କରିବା ସହ ଭାରତରେ ବି ତାଙ୍କ ସାଥୀମାନଙ୍କୁ ଆର୍ଥିକ ସହଯୋଗ କରିବାକୁ ପ୍ରେରିତ କରିଛନ୍ତି। ଏବେ ଅଧିକ ପାଣ୍ଠି ଯୋଗାଡ଼ କରି ସେ ଆହୁରି ଅଧିକ ଗାଁରେ ଜଳସଙ୍କଟ ଦୂର କରିବା ପାଇଁ ଯୋଜନା କରିଛନ୍ତି। ତେବେ ତାଙ୍କ ଉଦ୍ୟମରେ ହଲଗରା ଗାଁରେ ଏବେ ୨୦୦ କୋଟି ଲିଟର ଜଳ ଷ୍ଟୋର କରି ଏକ ଆଦର୍ଶ ଗାଁରେ ପରିଣତ କରିଛନ୍ତି।