ଏଇ ଭାରତରେ

ଉତ୍ତରଭାରତରେ ଗହମ ଓ ଧାନ ଖୁଣ୍ଟା ପୋଡ଼ି ଯୋଗୁ ବାୟ ପ୍ରଦୂଷଣ ହେଉଛି ଓ ସ୍ୱାସ୍ଥ୍ୟକୁ ଅତ୍ୟଧିକ ପ୍ରଭାବିତ କରୁଛି। ଏହାକୁ ରୋକିବା ଲାଗି ସରକାରଙ୍କ ପ୍ରୟାସରେ ଆଖିଦୃଶିଆ ସଫଳତା ମିଳିପାରୁ ନ ଥିବାବେଳେ ଖୁଣ୍ଟାରୁ ଇଟା ତିଆରି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ତରୁଣ ଜାମି। ବିଶାଖାପଟନମ୍‌ ନିବାସୀ ତରୁଣ ପେସାରେ ଜଣେ ସିଭିଲ ଇଞ୍ଜିନିୟର। ସେ ୨୦୧୭ରେ ଗ୍ରୀନ୍‌ ଜାମ୍‌ କମ୍ପାନୀ ପ୍ରତିଷ୍ଠା କରି ସେଠାରେ ଏହି ଇଟା ଉତ୍ପାଦନ କରୁଛନ୍ତି। ଫଳରେ ବାୟୁମଣ୍ଡଳରୁ କାର୍ବନ ନିର୍ଗମନ କମ୍‌ କରାଯାଇପାରୁଛି। ଏଗ୍ରିକଲ୍‌ଚର ଓ୍ବେଷ୍ଟ (କୃଷି ବର୍ଜ୍ୟ) ଏବଂ କିଛି ଶିଳ୍ପରୁ ବାହାରୁଥିବା ଅବଶେଷାଂଶକୁ ମିଶାଇ ଏହି କମ୍ପାନୀ ଆଗ୍ରୋକିଟ୍‌ ସୃଷ୍ଟି କରୁଛି। ଏହା କଂକ୍ରିଟର ବିକଳ୍ପ ହୋଇପାରିଛି। ଏହାକୁ ବ୍ୟବହାର କଲେ ନିର୍ମାଣ ମୂଲ୍ୟ ଅଧା କମିଯାଉଛି। ତରୁଣଙ୍କ ଦ୍ୱାରା ପ୍ରସ୍ତୁତ ଇଟା ପାରମ୍ପରିକ ଇଟାଠାରୁ ୩୦% ହାଲୁକା ହେଉଛି। ପରିବେଶ ଯାହା କ୍ଷତି ହୋଇଛି ତାହାକୁ ଭରଣା କରି ପରିସଂସ୍ଥାର ପୁନର୍ଗଠନ କରିବା ହିଁ ମାନବ ପାଇଁ କଲ୍ୟାଣକର ହେବ ବୋଲି କହନ୍ତି ତରୁଣ। ପରିବେଶ ଉପରେ ଆମ ଜୀବନଶୈଳୀର କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଚିନ୍ତା କରି ଏଭଳି କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଆଗାମୀ ପିଢିଙ୍କୁ ଆହ୍ବାନ ଦେଇଛନ୍ତି।