ଏଇ ଭାରତରେ

ବର୍ତ୍ତମାନ ସମୟରେ ଝିଅମାନେ ପୁଅଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ହରିୟାଣାର ଭଦାନା ଗାଁର ଶିକ୍ଷକ ଜଗଦେବ ଦହିୟାଙ୍କ ଝିଅମାନେ। ଜଗଦେବଙ୍କ ଛଅଝିଅ ହେଉଛନ୍ତି ବୈଜ୍ଞାନିକ। ଏମାନଙ୍କ ମଧ୍ୟରୁ ଚାରିଜଣ ବିଦେଶରେ ରହି ବିଭିନ୍ନ କ୍ଷେତ୍ରରେ ଗବେଷଣା କରୁଥିବା ବେଳେ ଜଣେ ଝିଅକୁ କ୍ୟାନ୍‌ସର ରୋଗ ଉପରେ ଅଧିକ ରିସର୍ଚ୍ଚ କରିବା ପାଇଁ ସ୍ବୀକୃତି ମଧ୍ୟ ମିଳିଛି। ଆଉ ଦୁଇଝିଅ ଭାରତର ଦୁଇ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ କାର୍ଯ୍ୟରତ। ଝିଅମାନଙ୍କର ଏପରି କୃତିତ୍ୱ ଦେଖି ପିତା ଜଗଦେବ ସେମାନଙ୍କୁ ମା’ ଦୁର୍ଗାଙ୍କ ଅବତାର ବୋଲି ଅଭିହିତ କରିଛନ୍ତି।
ଏହି ଛଅଝିଅଙ୍କୁ ଦେଖି ଲୋକମାନେ ବୋଝ ବୋଲି କହୁଥିଲେ। କିନ୍ତୁ ଠିକ୍‌ ସମୟରେ ଜଗଦେବ ଗାଁରେ ଝିଅମାନଙ୍କ ପ୍ରାଥମିକ ଶିକ୍ଷା ଶେଷ କରାଇଥିଲେ। ସ୍କୁଲଶିକ୍ଷା ସମାପ୍ତ ପରେ ସମସ୍ତେ ସୋନେପତ୍‌ର ଟିକାରାମ ମହିଳା ମହାବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇଥିଲେ। ଏଥିସହ ହିନ୍ଦୁ କଲେଜରୁ ବି.ଏସ୍‌ସି. ପଢ଼ା ଶେଷ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ଝିଅମାନଙ୍କୁ ଚଣ୍ଡିଗଡ଼ ପଠାଇଥିଲେ ଜଗଦେବ। ତାଙ୍କ ଝିଅଙ୍କ ମଧ୍ୟରୁ ଡ. ସଙ୍ଗୀତା ଦହିୟା ପଦାର୍ଥ ବିଜ୍ଞାନ, ଡ. ମୋନିକା ଦହିୟା ବାୟୋଟେକ୍ନୋଲୋଜି, ଡ. ନିତୁ ଦହିୟା ବାୟୋଟେକ୍ନୋଲୋଜିରେ ଉଚ୍ଚତର ଡିଗ୍ରୀ ଶେଷ କରିଛନ୍ତି। ଚତୁର୍ଥ ଝିଅ କଳ୍ପନା ପଞ୍ଜାବ ୟୁନିଭର୍ସିଟିରେ ପ୍ରଫେସର ଅଛନ୍ତି। ଡ. ଡେନି ଦହିୟା ଓ ରୁଚି ଦହିୟା ଗଣିତରେ ଏମ୍‌.ଏସ୍‌ସି.ରେ ପି.ଏଚ୍‌ଡି. କରିଛନ୍ତି।