ଏଇ ଭାରତରେ

ଚା’ ପିଇବା ପରେ କପ୍‌କୁ ଖାଇବେ, ଏମିତି କଥା କେବେ ଶୁଣିଛନ୍ତି କି! ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଜଣେ ପୂର୍ବତନ ଶିକ୍ଷକ ଟି. ଜୟଲକ୍ଷ୍ମୀ ତିଆରି କରୁଛନ୍ତି ଏଭଳି କପ୍‌। ମାଣ୍ଡିଆ ଓ ଚାଉଳ ଚୂନାରେ ଏହା ତିଆରି ହେଉଛି। ଦିନକୁ ସେ ୩ରୁ ୪ ହଜାର କପ୍‌ ତିଆରି କରି ବର୍ଷକୁ ୭ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏଥିପାଇଁ ସେ ବିଶାଖାପାଟଣାର ରେସାପୁଭାନିପାଲେମରେ ଏକ କମ୍ପାନୀ ଖୋଲିଛନ୍ତି। ଏହା ପୂର୍ବରୁ ରାଜଲକ୍ଷ୍ମୀ ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିଲେ। ତାଙ୍କ ସ୍ବାମୀ ମଧ୍ୟ ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ରେ ସ୍ବାମୀଙ୍କ ସ୍ବାସ୍ଥ୍ୟ ଖରାପ ହେବା ପରେ ରାଜଲକ୍ଷ୍ମୀ ପରିବାର ଚଳାଇବା ଲାଗି ବିକଳ୍ପ ଯୋଜନା କରି ପ୍ରଥମେ ସେ ତାଙ୍କ ଗହଣା ବନ୍ଧାରଖି ବ୍ୟାଙ୍କରୁ ଋଣ ଆଣି କପ୍‌ ତିଆରି ଆରମ୍ଭ କରିଥିଲେ। ଏହି କପ୍‌ରେ ଚା’ ୨୦ ମିନିଟ ଗରମ ରହିପାରୁଛି। ସେ ଦୁଇପ୍ରକାର ଚା’ କପ୍‌ ତିଆରି କରୁଛନ୍ତି। ଗୋଟିକରେ ୬୦ ମି.ଲି. ଓ ଅନ୍ୟଟିରେ ୮୦ ମି.ଲି. ରହୁଛି ଏବଂ ଏସବୁର ମୂଲ୍ୟ ଯଥାକ୍ରମେ ୨.୫ ରୁ ୩.୫ ଟଙ୍କା ରହିଛି। ଏହା ଚକୋଲେଟ, ଷ୍ଟ୍ରବେରି, ଭାନିଲା, ଅଳେଇଚ ଆଦି ସ୍ବାଦରେ ତିଆରି କରାଯାଉଛି। କପ୍‌ ଲାଗି ସେ ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର , କର୍ନାଟକ, ତାମିଲନାଡୁ ଓ ଛତିଶଗଡ଼ରୁ ଅର୍ଡର ପାଉଛନ୍ତି।