ଏଇ ଭାରତରେ

କର୍ନାଟକର ଜଣେ ପୋଲିସ ଅଧିକାରୀ ଦୁଇ ଅନାଥ ଭଉଣୀଙ୍କ ଜୀବନ ଗଢିବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ଦୈନନ୍ଦିନର ଆବଶ୍ୟକତା ପୂରଣ କରିବା ସହ ସେମାନଙ୍କ ପାଇଁ ଏକ କୋଠା ଘର ମଧ୍ୟ ନିର୍ମାଣ କରିଛନ୍ତି। ଅଭିଭାବକ ହୋଇ ସ୍କୁଲ୍‌ରେ ବଡ ଭଉଣୀର ନାମ ଲେଖାଇ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ଲକ୍‌ଡାଉନ ପରେ ଫେସ୍‌ବୁକରେ ଦୁଇ ଭଉଣୀଙ୍କ ଦୁଃଖ ଦେଖି ଏଚ୍‌ଡିକୋଟେ ପୋଲିସଷ୍ଟେଶନର ଏଏସ୍‌ଆଇ ଏସ.ଡୋରେସ୍ବାମୀ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବଡ଼ଭଉଣୀର ବୟସ ୧୭ ହୋଇଥିବାବେଳେ ସାନର ବୟସ ୧୪। ସେମାନେ ରହୁଛନ୍ତି ମହୀଶୂରଠାରୁ ୬୦କି.ମି. ଦୂର ଶ୍ରୀରାମ ହାଲି ଗାଁରେ। ପିଲାବେଳୁ ମାତାପିତାଙ୍କ ଦେହାନ୍ତ ପରେ ସେମାନେ ବୁଢ଼ୀମା’ ପାଖରେ ବଢିଥିଲେ। ବୁଢ଼ୀମା’ ୨୦୧୨ରେ ଆରପାରିକୁ ଚାଲିଗଲା ପରେ ଦୁହିଁଙ୍କ ଦୁର୍ଦ୍ଦଶା ବଢିଯାଇଥିଲା। ଏପ୍ରିଲରେ ସୋସିଆଲ ମିଡିଆରେ ତାହା ଦେଖିବା ପରେ ଡୋରେସ୍ବାମୀ ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ହାଲିରେ ପହଞ୍ଚିବା ପରେ ସବୁ ସୁବିଧା ଥାଇ ସେମାନଙ୍କ ପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟ କରି ଛାତ ଘରଟିଏ ଗଢିଦେଇଛନ୍ତି। ନିଜେ ଡୋରେସ୍ବାମୀ ସେମାନଙ୍କ ଅଭିଭାବକ ହୋଇ ଏକ ଘରୋଇ ସ୍କୁଲରେ ବଡ଼ ଭଉଣୀର ନାମ ଲେଖିଛନ୍ତି। ଅନ୍‌ଲାଇନରେ କ୍ଲାସ କରିବା ପାଇଁ ଏକ ସ୍ମାର୍ଟଫୋନ ମଧ୍ୟ କିଣି ଦେଇଛନ୍ତି। ପ୍ରତିମାସରେ ସେମାନଙ୍କ ଖର୍ଚ୍ଚ ଲାଗି ୧,୫୦୦ଟଙ୍କା ତାଙ୍କ ଦରମାରୁ ଦେଉଛନ୍ତି।