ଏଇ ଭାରତରେ

ସହରରେ ରହି ୬ ବର୍ଷ ହେବ ପାଣି ବାବଦରେ ଟଙ୍କାଟିଏ ଖର୍ଚ୍ଚ ନ କରିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରର ସମ୍ପଥ ଏସ୍‌.ଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସେ ଛାତ ଉପରୁ ବର୍ଷାଜଳ ସଂରକ୍ଷଣ କରି ତାହାକୁ ଘରର ସବୁ କାମରେ ଉପଯୋଗ କରୁଛନ୍ତି। ତାଙ୍କ ବୟସ ଏବେ ୬୬। ସେ ବ୍ୟାଙ୍କରେ ଚାକିରି କରି ଅବସର ନେଇଛନ୍ତି। ତାଙ୍କ ଘର ପାଖରେ ମାଟି ତଳେ ଏକ ପାଣି ଟାଙ୍କି କରି ସେଥିରେ ୪୦,୦୦୦ ଲିଟର ବର୍ଷାଜଳ ସଞ୍ଚୟ କରି ରଖୁଛନ୍ତି। ପରେ ତାହାକୁ ଫିଲଟର କରି ପିଇବା ସହ ଅନ୍ୟ ସମସ୍ତ କାର୍ଯ୍ୟରେ ଲଗାଉଛନ୍ତି। ବର୍ଷାଜଳ ସଂରକ୍ଷଣ ସହ ଏହାର ଫିଲଟର ସିଷ୍ଟମ ବା ପଦ୍ଧତି ସମ୍ପର୍କରେ ଇଣ୍ଟରନେଟରୁ ଶିଖି ତାହାକୁ ଉପଯୋଗ କରିଛନ୍ତି। ପାରମ୍ପରିକ ପଦ୍ଧତିରେ ପାଣି ଫିଲ୍‌ଟର କରୁଛନ୍ତି। ସୂତା ଓ ନାଇଲନ କପଡ଼ାରେ ଫିଲ୍‌ଟର ପ୍ରସ୍ତୁତ କରିଛନ୍ତି ସମ୍ପଥ। ଫିଲ୍‌ଟର ପଦ୍ଧତିରେ ସେ ୨୦ ଲିଟର ରଙ୍ଗ ବାଲଟିସବୁ ବ୍ୟବହାର କରିଛନ୍ତି। ଏହାକୁ ପିଭିସି ପାଇପ୍‌ ଦ୍ୱାରା ସଂଯୋଗ କରି ତ୍ରିସ୍ତରୀୟ ଫିଲଟର ସିଷ୍ଟମ କରିଛନ୍ତି। ବର୍ଷା ସମୟରେ ସେ ୧୫ ମିନିଟ ଛାତ ପାଣିକୁ ସକ୍‌ପିଟକୁ ଛାଡିଦିଅନ୍ତି। ଏହାପରେ ପାଣିକୁ ଫିଲଟର ସିଷ୍ଟମକୁ ଛାଡିଥାନ୍ତି। ପୂରା ସିଷ୍ଟମ ଲାଗି ସେ ୨୦,୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି। ସମ୍ପଥଙ୍କର ଏହି ଫିଲଟର ସିଷ୍ଟମକୁ ଅନ୍ୟମାନେ ଘରେ ଲଗାଇବା ସହ ପାଣି ବାବଦରେ ଖର୍ଚ୍ଚକାଟ କରିବାରେ ସକ୍ଷମ ହେଉଛନ୍ତି।