ବର୍ଷେ କି ଦୁଇ ବର୍ଷ ନୁହେଁ, ୨୫ ବର୍ଷ ହେଲା ଗଛ ଲଗାଇ ନିଜ ଅଞ୍ଚଳକୁ ସବୁଜ କରିବାକୁ ଚେଷ୍ଟା କରି ଆସିଛନ୍ତି କେରଳ ଏର୍ନାକୁଲମ୍ ନିବାସୀ ସି.ସି. କନ୍ନନ। ସେ ଜଣେ ଶ୍ରମିକ। ରାସ୍ତାକଡ଼, ଅଙ୍ଗନଓ୍ବାଡ଼ି, ସ୍କୁଲ ଓ ଚାଷ ନ ହୋଇ ପଡ଼ିଆ ପଡ଼ିଥିବା ଜାଗାରେ ଗଛ ଲଗାଉଛନ୍ତି ୫୪ ବର୍ଷୀୟ କନ୍ନନ। ଏବେ ସେ ୧୩ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାର୍ଶ୍ୱରେ ଶହ ଶହ ଗଛ ଉତାରି ସାରିଲେଣି। କନ୍ନନ ଯେତେ ଗଛ ଲଗାଉଛନ୍ତି ତାହାକୁ କିଣୁନାହାନ୍ତି, ବରଂ ତାଙ୍କ ସାଙ୍ଗ ଓ ପଡ଼ୋଶୀମାନଙ୍କଠାରୁ ସଂଗ୍ରହ କରୁଛନ୍ତି। ଆରମ୍ଭରୁ ସେ ରାସ୍ତାକଡ଼ରେ ଯେଉଁ ଗଛ ଲଗାଇଥିଲେ, ରାସ୍ତା ସମ୍ପ୍ରସାରଣ ପରେ ତାହାକୁ କାଟି ଦିଆଯାଇଥିଲା। ହେଲେ ସେ ପୁନର୍ବାର ସେହି ରାସ୍ତାକଡ଼ରେ ଗଛ ଲଗାଇ ବଡ଼ କରିସାରିଲେଣି। ତାଙ୍କର ଏହି କାର୍ଯ୍ୟ ପାଇଁ ନଭେମ୍ବର ୨୦୨୨ରେ ତାଙ୍କୁ ପିଭି ଥାମ୍ପି ମେମୋରିଆଲ ଏଣ୍ଡାମେଣ୍ଟ ଆଓ୍ବାର୍ଡ଼ ପ୍ରଦାନ କରାଯାଇଛି। ବୃକ୍ଷରୋପଣ କାର୍ଯ୍ୟରେ ସେ ସ୍କୁଲ, କଲେଜ ପିଲାଙ୍କୁ ସାମିଲ କରିଛନ୍ତି। ପିଲାବେଳୁ ଗଛ ଲଗାଇବାକୁ ସେ ଭଲ ପାଉଥିଲେ, ଯାହା ତାଙ୍କୁ ଏହି କାର୍ଯ୍ୟ କରିବାକୁ ବାଟ କଢ଼ାଇନେଇଛି। ଗଛ ଲଗାଇ ଖୁସି ଅନୁଭବ କରୁଛନ୍ତି ବୋଲି କହନ୍ତି କନ୍ନନ।