ଏଇ ଭାରତରେ

ପତିଙ୍କ ମୃତ୍ୟୁ ପରେ ପତ୍ନୀ ତାଙ୍କୁ ମନେରଖିବା ଲାଗି ଆମ୍ବୁଲାନ୍ସ ସେବା ଚଲାଇବା ନିଶ୍ଚିତ ଭାବେ ପ୍ରେରଣାଦାୟକ। ରାଜକୋଟର ସଙ୍ଗୀତା ହରେଶ ଶାହା ଉକ୍ତ ସେବା ଚଲାଇଛନ୍ତି। ସହରରେ ଯେକୌଣସି ଗରିବ ତଥା ଅସହାୟ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି। ତାଙ୍କ ସ୍ବାମୀ ରାଜକୋଟରେ ଏକ ଚାକିରି କରିଥିଲେ। କରୋନା ମହାମାରୀ ସମୟ ୨୦୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ସଞ୍ଚିତ ଅର୍ଥକୁ ସଙ୍ଗୀତା ନିଜ କାମରେ ନ ଲଗାଇ ଗରିବ ଲୋକଙ୍କ ସେବା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜ ଅର୍ଥରେ ଏକ କାର୍‌ କିଣି ତାହାକୁ ଆମ୍ବୁଲାନ୍ସ କରିଛନ୍ତି। ଅନ୍ୟପକ୍ଷରେ ସକ୍ଷମ ବ୍ୟକ୍ତିମାନେ କେବଳ ଡ୍ରାଇଭର ଓ ଡିଜେଲ ଖର୍ଚ୍ଚ ଦେଇ ଆମ୍ବୁଲାନ୍ସ ସେବା ବି ପାଇପାରୁଛନ୍ତି। ଏହି ଆମ୍ବୁଲାନ୍ସ ରାଜକୋଟ ସିଭିଲ୍‌ ହସ୍ପିଟାଲ ନିକଟରେ ରହୁଛି ଓ ଏହାକୁ ଆଖପାଖ ଗାଁର ଲୋକେ ଜରୁରୀ ଚିକିତ୍ସା ଲାଗି ନେଉଛନ୍ତି। ଏହି ଆମ୍ବୁଲାନ୍ସରେ ସଙ୍ଗୀତା ନିଜ ପତିଙ୍କ ଫଟୋ ଲଗାଇଛନ୍ତି। ଏହି କାର୍ଯ୍ୟରେ ଲୋକଙ୍କ ସହଯୋଗ ମିଳିଲେ ସେ ଆଗାମୀ ଦିନରେ ଅଧିକ ଆମ୍ବୁଲାନ୍ସ କିଣିବା ପାଇଁ ଯୋଜନା କରିଛନ୍ତି।