ଏଇ ଭାରତରେ

ସବୁ କାର୍ଯ୍ୟ ପାଇଁ ସରକାରଙ୍କ ଉପରେ ନିର୍ଭର ନ କରି ନିଜସ୍ବ ଉଦ୍ୟମରେ ତାହାକୁ ଏକ ନୂତନ ରୂପ ଦେଇଛନ୍ତି ସିଭିଲ୍‌ ସର୍ଭିସ୍‌ ଅଧିକାରୀମାନେ। ଅରୁଣାଚଳପ୍ରଦେଶର ଏହି ଅଧିକାରୀମାନେ ‘ପ୍ରୋଜେକ୍ଟ ୩୭’ ମାଧ୍ୟମରେ ଜରାଜୀର୍ଣ୍ଣ ସ୍କୁଲ, ଲାଇବ୍ରେରି, ରାସ୍ତା ଓ ସାଇନ୍‌ପୋଷ୍ଟଗୁଡ଼ିକୁ ମରାମତି କରୁଛନ୍ତି। କରୋନା ସଂକ୍ରମଣ ଆରମ୍ଭ ହେବାପରେ ସେମାନେ ଏଭଳି କାର୍ଯ୍ୟ କରୁଛନ୍ତି। ଆଇଏଏସ୍‌ ଅଫିସର ଟୁଡକ୍‌ଙ୍କ ନେତୃତ୍ୱରେ ଏହା କରାଯାଇଛି। ସେ ପ୍ରଥମେ ତାଙ୍କ ଚେଷ୍ଟାରେ ହେଡ୍‌କ୍ୱାର୍ଟରଠାରୁ ୩୬ କିମି ଦୂର ଏକ ସ୍କୁଲର ମରାମତି କରିଥିଲେ। ଏଥିରେ ଯେଉଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ତାହାକୁ ଟୁଡକ୍‌ ଏବଂ ତାଙ୍କ କ୍ୟାଡରର ବ୍ୟାଚ୍‌ମେଟମାନେ ହିଁ ଦେଇଥିଲେ। ଏହାପରଠାରୁ ସେମାନେ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ପ୍ରୋଜେକ୍ଟ ୩୭’ ଆରମ୍ଭ କରିଥିଲେ। ଅଧିକାରୀମାନେ ଅରୁଣାଚଳପ୍ରଦେଶରେ ନିଯୁକ୍ତି ପାଇବା ପରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ପାଣ୍ଠିର ଅଭାବ ହେଉଥିବାରୁ ସେମାନେ ଏଭଳି ଏକ ଯୋଜନା କରିଛନ୍ତି ବୋଲି କହନ୍ତି ଟୁଡକ୍‌। ‘ପ୍ରୋଜେକ୍ଟ ୩୭’ ମାଧ୍ୟମରେ ସେମାନେ ମାସକୁ ୧୫୦୦ ଟଙ୍କା ଜମା କରୁଛନ୍ତି ଓ ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଟୁଛି। ପରେ ଏହାକୁ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟୟ କରୁଛନ୍ତି। ସେମାନେ ୨ ମାସରେ ଥରେ ନିଜ ଅଞ୍ଚଳରେ ଥିବା ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକୁ ଲଟେରି ଦ୍ୱାରା ଚୟନ କରୁଛନ୍ତି ଓ କେଉଁ କାର୍ଯ୍ୟ ପ୍ରଥମେ କରାଯିବ ତାହାର ନିଷ୍ପତ୍ତି ନେଇଛନ୍ତି ଅଧିକାରୀମାନେ ଭୋଟିଂ ପଦ୍ଧତିରେ। ଏଭଳି କାର୍ଯ୍ୟକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ବି ଏଥିପାଇଁ ଆର୍ଥତ୍କ ସହାୟତା ଦେଉଛନ୍ତି। ଯେଉଁ କାର୍ଯ୍ୟଶେଷ ହେଉଛି ସେଠାରେ (ସ୍କୁଲ କିମ୍ବା ରାସ୍ତାକଡ଼) ଲୋକମାନେ ଗଛ ଲଗାଇବା ସହ ସେହି ଜାଗାକୁ ସଫା କରୁଛନ୍ତି। ଏବେ ସିଭିଲ୍‌ ସର୍ଭିସ ଅଧିକାରୀମାନେ ଏକ ଗାଲର୍‌ସ ହଷ୍ଟେଲ୍‌ର ମରାମତି ତଥା ପିଲାମାନଙ୍କ ପାଇଁ କମ୍ପ୍ୟୁଟର କିଣିବା ଭଳି କାର୍ଯ୍ୟ ହାତକୁ ନେଇଛନ୍ତି।