ସ୍କୁଲ ଛାଡ଼ୁଥିବା ପିଲାମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଅଶୋକ ରାଠୋର। ଅଶୋକ ରହୁଛନ୍ତି ମୁମ୍ବାଇରେ। ମୁମ୍ବାଇ ବସ୍ତିରେ ଅର୍ଥାଭାବରୁ ପଢ଼ା ଛାଡ଼ି ଦେଉଥିବା ପିଲାମାନଙ୍କୁ ସେ ଫୁଟ୍ବଲ ମାଧ୍ୟମରେ ଆକର୍ଷିତ କରି ପୁନର୍ବାର ଶିକ୍ଷାର ମୁଖ୍ୟ ସ୍ରୋତକୁ ଆଣୁଛନ୍ତି। ଅଶୋକ ନିଜେ ମୁମ୍ବାଇ ଆମ୍ବେଦନଗର ବସ୍ତିରେ ବଢ଼ିଛନ୍ତି। ସେ ବସ୍ତି ପିଲାମାନଙ୍କ ଦୁଃଖ ଓ ଅଭାବକୁ ବୁଝିଛନ୍ତି। ଏଣୁ ବସ୍ତିର ଅଧାରୁ ପାଠ ଛାଡ଼ିଦେଉଥିବା ପିଲାମାନଙ୍କ ପାଇଁ ସେ ଏହି ଅଭିନବ ଉପାୟ ଆପଣାଇଛନ୍ତି। ଅଶୋକ ‘ଓସ୍କାର ଫାଉଣ୍ଡେଶନ’ ଗଢ଼ି ତା’ ମାଧ୍ୟମରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ସେ ପ୍ରଥମେ ୧୮ ପିଲାଙ୍କୁ ଫୁଟ୍ବଲ ଶିକ୍ଷା ଦେବା ଆରମ୍ଭ କରିଥିଲେ। ପରେ ସର୍ତ୍ତ ରଖିଥିଲେ ଯେ, ଯେଉଁମାନେ ଫୁଟ୍ବଲ ଶିଖିବେ ସେମାନେ ସ୍କୁଲକୁ ଯିବେ। ପିଲାମାନେ ଏଥିରେ ରାଜି ହୋଇ ସ୍କୁଲଯିବା ଆରମ୍ଭ କରିଥିଲେ। ଧୀରେ ଧୀରେ ପିଲାମାନେ ସେମାନଙ୍କ ସାଙ୍ଗଙ୍କୁ ପଡ଼ିଆକୁ ଆଣିଲେ ଏବଂ ସେମାନେ ଖେଳିଲେ ଓ ସ୍କୁଲକୁ ଯିବା ଆରମ୍ଭ କରିଦେଲେ। ୨୦୦୮ରେ ଅଶୋକ ୩.୫ ଲକ୍ଷ ଟଙ୍କା ପୁରସ୍କାର ପାଇବା ପରେ ତାହାକୁ ଏହି କାର୍ଯ୍ୟରେ ବିନିଯୋଗ କରିବା ଦ୍ୱାରା ୨୦୧୦ରେ ପିଲାସଂଖ୍ୟା ୩୦୦ରେ ପହଞ୍ଚତ୍ଥିଲା। ଏବେ ଏହି କାର୍ଯ୍ୟକ୍ରମକୁ ଅଶୋକ ରାଜସ୍ଥାନ, କର୍ନାଟକ, ଡାମନ୍କୁ ସମ୍ପ୍ରସାରଣ କରିବାକୁ ଯୋଜନା କରିଛନ୍ତି। ଏବେ ସୁଦ୍ଧା ତାଙ୍କ ନିକଟରୁ ୧୪,୦୦୦ ପିଲା ଉପକୃତ ହୋଇ ସାରିଲେଣି।