ମନ୍ଦିରର ବର୍ଜ୍ୟଫୁଲରୁ ବିଭିନ୍ନ ଜିନିଷ ତିଆରି କରି ଅନ୍ୟମାନଙ୍କୁ ରୋଜଗାର ପନ୍ଥା ଦେଖାଉଛନ୍ତି ଦିଲ୍ଲୀର ପୁନମ୍ ସହରାବତ। ଖୁବ୍ କମ୍ ନିବେଶରେ କିଭଳି ବ୍ୟବସାୟରୁ ଲାଭ ମିଳେ ତାହାର ବାଟ ମଧ୍ୟ ଦେଖାଇଛନ୍ତି ପୁନମ୍। ସେ ବର୍ଜ୍ୟଫୁଲ ସଂଗ୍ରହ କରି ତାହାକୁ ଶୁଖାଇ ଗୁଣ୍ଡ କରିବା ପରେ ସେଥିରୁ ଅଗରବତି ଓ ବିଭିନ୍ନ ଘରସଜ୍ଜା ଜିନିଷ ତିଆରି କରୁଛନ୍ତି। ୨୦୧୯ରେ ସେ ତାଙ୍କ ବାନ୍ଧବୀ ପିଙ୍କି ଯାଦବଙ୍କ ସହ ମିଶି ବିଜ୍ନେସ ଆରମ୍ଭ କରି ‘ଆରୁହୀ ଏଣ୍ଟରପ୍ରାଇଜେସ’ ଆରମ୍ଭ କରି ତା’ମାଧ୍ୟମରେ ବର୍ଜ୍ୟଫୁଲରୁ ବିଭିନ୍ନ ଉପତ୍ାଦ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଏହି କାର୍ଯ୍ୟରେ ସେ ୬ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତ କରିଛନ୍ତି। ସବୁଖର୍ଚ୍ଚ ବାଦ୍ ପୁନମ୍ ମାସକୁ ୬୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହାସହ ୫୦୦ରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି। ପୁନମ୍ଙ୍କ ଏହି ଉଦ୍ୟମ ଯୋଗୁ ଆଖପାଖ ମନ୍ଦିରରେ ବର୍ଜ୍ୟଫୁଲ ଯୋଗୁ ସୃଷ୍ଟି ହେଉଥିବା ପରିବେଶ ପ୍ରଦୂଷଣ ଅନେକାଂଶରେ ଦୂର ହୋଇପାରିଛି। ୧୦୦୦ରୁ ୨୦୦୦ଟଙ୍କା ନିବେଶରେ ଏଭଳି ବିଜ୍ନେସ୍ ଆରମ୍ଭ କରାଯାଇପାରିବ ବୋଲି କହନ୍ତି ପୁନମ୍। ପ୍ରଥମେ ଫୁଲରୁ ଅଗରବତି ତିଆରି କୌଶଳ ଶିକ୍ଷା କରିବାକୁ ଚାହଁିଥିଲେ ବି କାହାର ସାହାଯ୍ୟ ପାଇପାରି ନ ଥିଲେ। ପରେ ଗୋବରରୁ ଜିନିଷ ତିଆରି କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ କୌଶଳ ଶିଖି ସେ ଫୁଲରୁ ଜିନିଷ ତିଆରି ଆରମ୍ଭ କରିଥିଲେ।