ଏଇ ଭାରତରେ

ଚଉଁରା ମୂଳେ ଦୀପାବଳିରେ ସାରାଦିନ ମାଟି ଦୀପଟିଏ ଯଦି ଜାଳିବାକୁ ଚାହୁଁଛନ୍ତି ତେବେ ଛତିଶଗଡ଼ର କୁମ୍ଭକାର ଅଶୋକ ଚକ୍ରଧାରୀଙ୍କ ଦୀପ ଆଣନ୍ତୁ। ଏହି ସ୍ବତନ୍ତ୍ର ଦୀପଟି ଆପଣାଛାଏଁ ତେଲ ଭରି ଅତିକମ୍‌ରେ ୨୪ ଘଣ୍ଟା ଜଳୁଛି। ଅଶୋକଙ୍କ ବୟସ ୬୨। ରହୁଛନ୍ତି ବସ୍ତର ଜିଲା କୋଣ୍ଡା ଗାଁରେ। ଦୀପର ନାମ ରଖିଛନ୍ତି ‘ମ୍ୟାଜିକ ଲ୍ୟାମ୍ପ’। ଦୀପର ଉପରି ଭାଗରେ ତେଲ ଓ ତଳେ ରହିଛି ଦୀପ। ତେଲ ଭଣ୍ଡାରରୁ ଦୀପକୁ ଏକ ସରୁ ପାଇପ ଯୋଗେ ସଂଯୋଗ କରାଯାଇଛି। ନିଜସ୍ବ ଜ୍ଞାନକୌଶଳରେ ପ୍ରଥମ ଦୀପଟିକୁ ଗଢିବା ଲାଗି ଅଶୋକଙ୍କୁ ୫ରୁ ୬ ସପ୍ତାହ ଲାଗିଯାଇଥିଲା। ପରେ ଏହା ସହଜ ହୋଇଥିଲା। ଏବେସୁଦ୍ଧା ସେ ୧୦୦ଟି ଦୀପ ବିକ୍ରି କରିସାରିଛନ୍ତି। ପ୍ରତ୍ୟେଟିର ଦାମ ରଖିଛନ୍ତି ୨୦୦ଟଙ୍କା। ଏହି ଦୀପର ଭିଡିଓ ଫେସ୍‌ବୁକରେ ଶେୟାର କରିବା ପରେ ତାଙ୍କ ପାଖକୁ ଶହ ଶହ କଲ୍‌ ଆସୁଛି। ଲୋକମାନେ ଏହି ଦୀପ ନେବାକୁ ହଜାର ହଜାର ସଂଖ୍ୟାରେ ଅର୍ଡର ଦେଉଛନ୍ତି। କିନ୍ତୁ ସୁବିଧା ନ ଥିବାରୁ ସେ ତାହାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଇ ପାରୁନାହାନ୍ତି। ସେ ମାଟିର କଫି ମଗ୍‌ ଓ ଡିନରସେଟ୍‌ ମଧ୍ୟ ତିଆରି କରୁଛନ୍ତି। ଏଗୁଡିକର ବି ଚାହିଦା ରହିଛି।