ଏଇ ଭାରତରେ

ଆମ ଦେଶରେ ଏଭଳି ଗାଁ ସବୁ ଅଛି ଯାହା ସମ୍ପର୍କରେ ଏବେ ମଧ୍ୟ ଅନେକେ ଜାଣିନାହାନ୍ତି। କିଏ ସୌନ୍ଦର୍ଯ୍ୟ ପାଇଁ ତ ଆଉ କେଉଁ ଗାଁ ଭିନ୍ନ ଭିନ୍ନ ବିଶେଷତାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ଏଭଳି ଗାଁ ମଧ୍ୟରୁ ନାଗାଲାଣ୍ଡର ଲୋଙ୍ଗଓ୍ବା ଗାଁ ଅନ୍ୟତମ। ମୌନ ଜିଲା ଅନ୍ତର୍ଗତ ଉକ୍ତ ଗାଁ ରାଜ୍ୟରେ ବଡ଼ ଗାଁ ମଧ୍ୟରୁ ଗୋଟିଏ। କିନ୍ତୁ ଆଶ୍ଚର୍ଯ୍ୟର କଥା,ଏହାକୁ ଗାଁ ତାଲିକାରେ ସ୍ଥାନ ଦିଆଯାଇନାହିଁ। ଏହି ଗାଁ ପଡ଼ା ଭାବେ ଭାରତ ଓ ମ୍ୟାନ୍‌ମାର ସୀମା ମଧ୍ୟରେ ରହିଛି। ଏହା ଭାରତର ଗାଁ ହେଲେ ବି ଗ୍ରାମବାସୀଙ୍କ ପାଖରେ ମ୍ୟାନ୍‌ମାରର ନାଗରିକତା ଅଛି। ଲୋଙ୍ଗଓ୍ବାର ଜଣେ ମୁଖିଆ ଅଛନ୍ତି। ତାଙ୍କୁ ରାଜା ବା ଅଙ୍ଘ ବୋଲି ସମ୍ବୋଧନ କରାଯାଏ। ଯେ କେହି ଏହି ରାଜାଙ୍କ ଘରେ ବସିବ ସେ ଏକାସମୟରେ ଭାରତ ଓ ମ୍ୟାନ୍‌ମାରରେ ଥିବା ଭଳି ଅନୁଭବ କରିବ।