ଏଇ ଭାରତରେ

ମୋବାଇଲ ଚୋରି ହେବା କଥା ଶୁଣିବାକୁ ମିଳିଥାଏ। କିନ୍ତୁ ପୂରା ମୋବାଇଲ ଟାଓ୍ବାର ଚୋରିହେବା ଆଶ୍ଚର୍ଯ୍ୟର ବିଷୟ। ବିହାରର ମୁଜାଫରପୁରରେ ଚୋରମାନଙ୍କର ଏଭଳି ଅଦ୍ଭୁତ କାର୍ଯ୍ୟ ସାମ୍ନାକୁ ଆସିଛି। ଚୋରମାନେ ମେକାନିକ୍‌ ଭଳି ଆସି ଲୋକଙ୍କ ସାମ୍ନାରେ ଟାଓ୍ବାର ସବୁ ପାର୍ଟ ଖୋଲି ନେଇଚାଲିଗଲେ। ଏହି ଘଟଣା ଜିଲା ସଦର ପୋଲିସ ଷ୍ଟେଶନର ଶ୍ରମଜୀବୀ ନଗରରେ ଘଟିଛି। ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ସେଠାକାର ମନୀଷା କୁମାରୀଙ୍କ ଆବାସିକ କମ୍ପ୍ଲେକ୍ସରେ ଜିଟିଏଲ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ ଏହି ମୋବାଇଲ ଟାୱାର ବସାଇଥିଲା। କିନ୍ତୁ କିଛିଦିନ ଧରି ଏହା କାମକରୁ ନ ଥିଲା। ଚୋରମାନେ ଡିଜେଲ ଜେନେରେଟର ଏସ୍‌ଏମ୍‌ପିଏଫ୍‌ ଷ୍ଟାବିଲାଇଜରକୁ ମଧ୍ୟ ନେଇ ଯାଇଛନ୍ତି, ଯାହାର ମୂଲ୍ୟ ବର୍ତ୍ତମାନ ସାଢ଼େ ଚାରି ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏନେଇ ସ୍ଥାନୀୟ ଲୋକେ କହିଛନ୍ତି, କିଛିଦିନ ପୂର୍ବରୁ ୫ ଜଣ ଲୋକ ମୋବାଇଲ ଟାୱାର ଖୋଲିବାକୁ ଆସିଥିଲେ। ମୋବାଇଲ ଟାୱାର ଖୋଲିବା ପରେ ଏହାକୁ ଏକ ଟ୍ରକ୍‌ରେ ଲୋଡ୍‌ କରି ସେମାନେ ଚାଲିଯାଇଥିଲେ।