Advertisement

ଏଇ ଭାରତରେ

ମଧୁକାନ୍ତ ଭଟ୍ଟଙ୍କ ପାଇଁ ବୟସ ବାଧକ ହୋଇନାହିଁ। ୯୩ ବର୍ଷ ବୟସରେ ସେ ବର୍ଜ୍ୟ କନାରୁ ବ୍ୟାଗ୍‌ କରି ଲୋକଙ୍କୁ ମାଗଣାରେ ବାଣ୍ଟୁଛନ୍ତି। ୫ ବର୍ଷ ହେଲା ସେ ଏଭଳି କାର୍ଯ୍ୟ କରିଆସୁଛନ୍ତି। ପ୍ଲାଷ୍ଟିକ ପଲିଥିନ ବ୍ୟାଗ୍‌ର ପରିବେଶଗତ ପ୍ରଭାବ ରୋକିବା ଲାଗି ସେ ଏଭଳି ଅଭିଯାନ ଆରମ୍ଭ କରିଛନ୍ତି। ଏବେ ସୁଦ୍ଧା ସେ ୩୫,୦୦୦ ଲୋକଙ୍କୁ ମାଗଣାରେ କନା ବ୍ୟାଗ ବାଣ୍ଟିସାରିଲେଣି। ସେ ରୁହନ୍ତି ହାଇଦ୍ରାବାଦରେ। ଜନ୍ମ ତାଙ୍କର ଗୁଜରାଟ ଜାମନଗରରେ। ୪ ଝିଅ ଓ ଗୋଟିଏ ପୁଅର ମା’ ମଧୁକାନ୍ତ। ତାଙ୍କ ସନ୍ତାନଙ୍କୁ ଭଲ ଶିକ୍ଷା ଦେବା ସହ ସିଲାଇ କାମ କରୁଥିଲେ। ସେ ପ୍ରଥମେ ୧୯୫୫ ମସିହାରେ ୨୦୦ ଟଙ୍କାରେ ସିଲେଇ ମେଶିନ କିଣି ବିଭିନ୍ନ ପ୍ରକାର ପୋଷାକ ତିଆରି କରୁଥିଲେ। ତାଙ୍କର ସେହି ଅଭ୍ୟାସ ଏବେ ପରିଣତ ବୟସରେ ତାଙ୍କୁ ବେଶ୍‌ ସହାୟକ ହେଉଛି। ସେ ସକାଳ ୭ରେ ଉଠି ନିତ୍ୟକର୍ମ ସାରି ଜଳଖିଆ ଖାଇ ମେଶିନ୍‌ରେ ବସି ବ୍ୟାଗ୍‌ ତିଆରି କରୁଛନ୍ତି। ବ୍ୟାଗ୍‌ ପାଇଁ ବର୍ଜ୍ୟ କନା ସେ ସେକ୍ସଟାଇଲ କମ୍ପାନୀ ଟେଲରମାନଙ୍କ ନିକଟରୁ ସଂଗ୍ରହ କରନ୍ତି। ଏପରିକି ଅନେକ ଟେଲର ମାଲିକ ମଧୁକାନ୍ତଙ୍କ ପାଖରେ କନା ପହଞ୍ଚାଇ ଦେଉଛନ୍ତି। ସେ ତିଆରି କରୁଥିବା ବ୍ୟାଗ୍‌ ଲୋକଙ୍କୁ ବାଣ୍ଟିବା ଲାଗି କେତେକ ଏନ୍‌ଜିଓ ବି ତାଙ୍କୁ ସହଯୋଗ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel