ଏଇ ଭାରତରେ

ବିହାରର ସମସ୍ତିପୁରରେ ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ନିବିଡ଼ ସ୍ନେହର ଏହା ଏକ ଉଦାହରଣ ପାଲଟିଛି। ସାତ ଫେରା ନେବା ପରେ ମଧ୍ୟ ଭଉଣୀ ଶାଶୁ ଘରକୁ ଯିବାକୁ ମନା କରିଦେଇଛନ୍ତି। ଏହି ଘଟଣା ସମସ୍ତିପୁର ଜିଲାର ମୁଫାସିଲ ପୋଲିସ ଷ୍ଟେଶନ ଅଞ୍ଚଳର ବେଝାଡିହ ଲାଗୁନିଆରେ ଘଟିଛି। ବିବାହ ପରେ କନ୍ୟାଙ୍କୁ ବିଦାୟ ଦିଆଯାଇଥିଲା। ଅଳ୍ପ ଦୂର ଯିବା ପରେ ସେ ତାଙ୍କ ସାନ ଭାଇଙ୍କ ସହ ଫୋନରେ କଥାବାର୍ତ୍ତା କରିବାକୁ ଜିଦ୍‌ ଧରିଥିଲେ। କିନ୍ତୁ ବର ତାଙ୍କୁ ଫୋନରେ କଥାବାର୍ତ୍ତା ହେବାକୁ ଅନୁମତି ଦେଇ ନ ଥିଲେ। ଫଳରେ କନ୍ୟା ବରଙ୍କ ସହ ଯିବାକୁ ମନା କରିଥିଲେ। କୁହାଯାଉଛି ଯେ, ସମସ୍ତିପୁର ଜିଲାର ଅଙ୍ଗର ଘାଟ ପୋଲିସ ଷ୍ଟେଶନ ଅଞ୍ଚଳରୁ ବିବାହ ଶୋଭାଯାତ୍ରା ଶୁକ୍ରବାର ବେଝାଡିହର ଲାଗୁନିଆ ଗ୍ରାମକୁ ଆସିଥିଲା। ବିବାହ ପରେ ଝିଅ ବିଦା କରାଯାଇଥିଲା। କିନ୍ତୁ କନ୍ୟା ଘରଠାରୁ ୩ କିଲୋମିଟର ଯିବା ପରେ ସେ ଗୁରୁତର ଅସୁସ୍ଥ ଥିବା ତାଙ୍କ ସାନ ଭାଇଙ୍କ ସହିତ ଫୋନରେ କଥା ହେବାକୁ ଜିଦ୍‌ ଧରିଥିଲେ। ମାତ୍ର ବର ଅନୁମତି ନ ଦେବାରୁ ସେ ହୋହଲ୍ଲା କରି କାନ୍ଦିବା ଆରମ୍ଭ କରି ଦେଇଥିଲେ। ଏହା ଦେଖି ସ୍ଥାନୀୟ ଗ୍ରାମବାସୀ ସେଠାରେ ଜମିଥିଲା। ଲୋକମାନେ ବହୁ ବୁଝାଇବା ପରେ ମଧ୍ୟ କନ୍ୟା ତାଙ୍କ ଶାଶୁ ଘରକୁ ଯିବାକୁ ମନା କରିଦେଇଥିଲେ। ପରେ କନ୍ୟା ଶାଶୁ ଘରକୁ ଯିବାକୁ ପ୍ରସ୍ତୁତ ନ ଥିବା ଜାଣି ମାତାପିତା ତାଙ୍କୁ ସାଙ୍ଗରେ ନେଇ ଘରକୁ ଫେରିଥିଲେ।