ଚାକିରି ଛାଡ଼ି ଜଣେ ଏମ୍ବିଏ ଡିଗ୍ରୀଧାରୀ ଥାଇଲାଣ୍ଡ ପିଜୁଳି ଚାଷ କରିବା ସହ ଅନେକ କୃଷକଙ୍କୁ ସଶକ୍ତ କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ମୂଳ ନିବାସୀ ରାଜୀବ ଭାସ୍କରଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପ୍ରଥମେ ସେ ଉତ୍ତରାଖଣ୍ଡର ପନ୍ଥ ୟୁନିଭରସିଟିରୁ ଉଦ୍ୟାନକୃଷିରେ ଡିଗ୍ରୀ ହାସଲ ପରେ ଏମ୍ବିଏ କରିଥିଲେ। ପରେ ରାୟପୁରର ଭିଏନ୍ଆର ନର୍ସରିରେ ଚାକିରି କରି ଥାଇଲାଣ୍ଡ ପିଜୁଳି ଚାଷ ସମ୍ପର୍କରେ ସବିଶେଷ ଜ୍ଞାନଲାଭ କରିଥିଲେ। ୨୦୧୭ରେ ସେ ଚାକିରି ଛାଡ଼ି ହରିୟାଣାର ପଞ୍ଚକୁଳରେ ୫ ଏକର ଜମିରେ ଥାଇଲାଣ୍ଡ ପିଜୁଳି ଚାଷ ଆରମ୍ଭ କରିଥିଲେ। ଏହାପରେ ୨୦୧୯ରେ ୪ ଜଣ ପାର୍ଟନରଙ୍କ ସହ ମିଶି ଏହି ଚାଷକୁ ପଞ୍ଜାବକୁ ସମ୍ପ୍ରସାରିତ କରିଥିଲେ। ଏବେ ସେ ମୋଟରେ ୫୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପିଜୁଳି ଚାଷ କରୁଛନ୍ତି। ଏହାସହ ସେ ଏହି ଚାଷ ସମ୍ପର୍କରେ ବହୁ କୃଷକଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କ ଆୟ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି। କୃଷକମାନଙ୍କ ପାଇଁ ଚାଷ ସମ୍ପର୍କିତ କର୍ମଶାଳା ମଧ୍ୟ ଆୟୋଜନ କରୁଛନ୍ତି।