ଏଇ ଭାରତରେ

ନାଗାଲାଣ୍ଡର କୋହିମା ଜିଲା ଅନ୍ତର୍ଗତ ଖୁଜାମାର ଛାତ୍ରମାନେ ମିନି ହାଇଡ୍ରୋ ଜେନେରେଟର ନିର୍ମାଣ କରି ବିଦ୍ୟୁତ୍‌ ଉତ୍ପାଦନ କରୁଛନ୍ତି ଓ ଏଥିରେ ଗାଁକୁ ଆଲୋକିତ କରିପାରିଛନ୍ତି। ଚୁମୁକେଡିମା ଏନ୍‌ଆଇଟିର ମେକାନିକାଲ ଡିପାର୍ଟମେଣ୍ଟରେ ଟେକ୍‌ନିସିଆନ ଭାବେ କାର୍ଯ୍ୟ କରୁଥିବା ଏହି ଗାଁର୨୬ ବର୍ଷୀୟ କେସେଟୁ ଥାକ୍ରୋ ଲକ୍‌ଡାଉନ ସମୟରେ ଏଭଳି ଅଭିଯାନ ଆରମ୍ଭ କରିଥିଲେ। ଖୁଜାମା ଗାଁରେ ‘ଖୁଜାମା ଷ୍ଟୁଡେଣ୍ଟ କେୟାର ୟୁନିଅନ’ରହିଛି ଓ ସେ ଏହାର ସଦସ୍ୟ ରହିଛନ୍ତି। ସଦସ୍ୟ ରହିଥିବା ଗାଁର ଅନ୍ୟ ଛାତ୍ରମାନେ କେସେଟୁଙ୍କ ନେତୃତ୍ୱରେ ଏକ ମିନି ହାଇଡ୍ରୋ ଜେନେରେଟର ନିର୍ମାଣ କରିଛନ୍ତି। ଏହାର ନାମ ରଖାଯାଇଛିି ‘ପ୍ରୋଜେକ୍ଟ ବ୍ରାଇଟର ଖୁଜାମା’। ଗାଁ ପାଖରେ ବହିଯାଉଥିବା ମେଓବୋକେ ନଦୀରେ ଏହାକୁ ତିନି ସପ୍ତାହ ମଧ୍ୟରେ ନିର୍ମାଣ କରାଯାଇ ଦୁଇମାସ ମଧ୍ୟରେ ସମ୍ପୂର୍ଣ୍ଣ ଗାଁକୁ ଆଲୋକିତ କରାଯାଇଛି। ଉକ୍ତ ମିନି ହାଇଡ୍ରୋ ଜେନେରେଟରର କ୍ଷମତା ୩ କିଲୋଓ୍ବାଟ । ଏବେ ବିଦ୍ୟୁତ ଉପତ୍ାଦିତ ହେଉଛି ୫୦୦ ଓ୍ବାଟ। ଏହା ପାଇଁ ଲୋକମାନେ ୮୫ ହଜାର ଟଙ୍କା ଅନୁଦାନ ଦେଇଥିବାବେଳେ ବ୍ୟୟ ହୋଇଛି ୮୦,୦୦୦ ଟଙ୍କା। ପ୍ରଥମେ ଗାଁର ଏକ ଦୁର୍ଘଟଣା ପ୍ରବଣ ସ୍ଥାନରେ ଲାଇଟ ଲଗାଯିବା ପରେ ଦ୍ୱିତୀୟ ଲାଇଟ୍‌ ଗାଁର ହେଲଥ ସେଣ୍ଟର ପାଖରେ ଲଗାଯାଇଛି। ଗାଁର ଚଲାପଥରେ ୭ଫୁଟର ୨୩ଟି ଲାଇଟ ପୋଷ୍ଟରେ ବଲ୍‌ବ ଜଳୁଛି ଓ ୨୦ ଫୁଟ ଉଚ୍ଚର ୮ଟି ଲାଇଟ ପୋଷ୍ଟ ଦ୍ୱାରା ଗାଁ କଡରେ ଯାଇଥିବା ଏସିଆନ ହାଇଓ୍ବେ-୨ ର ୩୦୦ ମିଟର ପର୍ଯ୍ୟନ୍ତ ଆଲୋକିତ ହେଉଛି।