ଏଇ ଭାରତରେ

ଆମ୍ବ ଅମଳ ସମୟ ଚାଲିଛି। ଏହି ସମୟରେ ଆମ୍ବ ବଗିଚା ଜଗିବାକୁ ହୁଏ। ଲୋକମାନେ ତ ଆମ୍ବ ବଗିଚା ଜଗନ୍ତି, କିନ୍ତୁ କୁକୁରମାନେ ଏହାକୁ ଜଗିବା ଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଜବଲପୁରରେ। ଏଠାରେ ସଂକଳ୍ପ ସିଂଙ୍କ ଆମ୍ବ ବଗିଚାକୁ କୁକୁରମାନେ ଜଗି ଦୁର୍ଲ୍ଲଭ ଆମ୍ବ ଉତ୍ପାଦନରେ ସାହାଯ୍ୟ କରୁଛନ୍ତି। କୁକୁର ଦିନରାତି ବଗିଚା ଜଗୁଛନ୍ତି। ସଂକଳ୍ପଙ୍କ ବଗିଚାରେ ୨୪ କିସମର ଆମ୍ବ ଅଛି। ଏଥିମଧ୍ୟରେ ସବୁଠୁ ଉନ୍ନତ ତଥା ସ୍ବାଦିଷ୍ଟ କିସମ ମଲ୍ଲିକା ଅନ୍ୟତମ। ଏହି ବଗିଚାରେ ୮ଟି କିସମର ବିଦେଶୀ ଆମ୍ବ ଉତ୍ପାଦନ କରାଯାଉଛି। ଉତ୍ପାଦିତ ଆମ୍ବକୁ ସେ ଦେଶର ବିଭିନ୍ନ ସ୍ଥାନକୁ ପଠାଇବା ସହ ବିଦେଶକୁ ମଧ୍ୟ ରତ୍ପାନି କରୁଛନ୍ତି। ମିୟାଜାକୀ ଆମ୍ବ କେଜି ପ୍ରତି ୧ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ମୁଖ୍ୟତଃ ଏହି କିସମର ଆମ୍ବ ଚୋରି ରୋକିବାକୁ ସଂକଳ୍ପ ବଗିଚାରେ କୁକୁରମାନଙ୍କୁ ଜଗୁଆଳି ଭାବେ ମୁତୟନ କରିଛନ୍ତି। ୪ ଏକର ବିଶିଷ୍ଟ ଆମ୍ବ ବଗିଚାକୁ ଲୋକ ଦେଖିବାକୁ ଆସୁଛନ୍ତି। ଏପରିକି ସେଠାରେ ଲୋକେ ଆମ୍ବ ବଗିଚାରେ ଭୋଜି କରିବାର ବ୍ୟବସ୍ଥା କରିଛନ୍ତି ସଂକଳ୍ପ ସିଂ। ଯେଉଁମାନେ ବଗିଚା ବୁଲି ଦେଖନ୍ତି ସେମାନଙ୍କୁ ବିଭିନ୍ନ କିସମ ଆମ୍ବ ଚିହ୍ନାଇବା ଲାଗି ଲୋକ ନିଯୁକ୍ତ କରିଛନ୍ତି। ବିଭିନ୍ନ ପ୍ରକାର ଦୁର୍ଲଭ ଆମ୍ବ ଉତ୍ପାଦନ ଲାଗି ସଂକଳ୍ପଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି।