ଏଇ ଭାରତରେ

ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ କୁହାଯାଉଥିଲେ ବି ଅନେକ ସମୟରେ ଶିକ୍ଷକ ପିଲାମାନଙ୍କୁ ଦଣ୍ଡ ଦେଉଛନ୍ତି। ଏହା କୋହଳ ଦଣ୍ଡରେ ସୀମିତ ରହୁଛି। କିନ୍ତୁ ପିଲାଙ୍କ ଚୁଟି କାଟି ଦଣ୍ଡ ଦେବା ବିଷୟ କେବେ ଶୁଣିଛନ୍ତି କି? ଏଭଳି ଘଟଣା ଘଟିଛି ଆସାମର ମାଜୁଲି ଜିଲାରେ। ଅନୁଶାସନ ନାମରେ ଜଣେ ଶିକ୍ଷକ ୩୦ ଜଣ ପିଲାଙ୍କ ଚୁଟି କାଟିଦେବା ଯୋଗୁ ସେମାନେ କାନ୍ଦି କାନ୍ଦି ଘରକୁ ଆସିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି, ପିଲାମାନେ ଲମ୍ବା ଚୁଟି ରଖିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲମ୍ବା ଚୁଟି ସମ୍ପର୍କରେ ପିଲାମାନଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲା ଏବଂ ମାତାପିତାଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା । କିନ୍ତୁ ସେମାନେ କିଛି ପଦକ୍ଷେପ ଗ୍ରହଣ ନ କରିବାରୁ ସ୍କୁଲ ତରଫରୁ ସେମାନଙ୍କ ଚୁଟି କାଟି ଦିଆଯାଇଥିବା କୁହାଯାଇଛି। ଡେପୁଟି କମିଶନର କାବେରୀ ଶର୍ମା ଏହି ଘଟଣାର ଅନୁସନ୍ଧାନ କରିବାକୁ କହିଛନ୍ତି। ସେ କହିଛନ୍ତି, ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଶିକ୍ଷକ କେବଳ ଲମ୍ବା ଚୁଟି କାଟି ଏହାକୁ ଛୋଟ କରିଛନ୍ତି, ସମ୍ପୂର୍ଣ୍ଣ ଭାବେ କାଟିନାହାନ୍ତି। ପିଲାଙ୍କ ଚୁଟି କାଟିଥିବା ଶିକ୍ଷକଙ୍କ ନାମ ନିକି। ସେ କେବଳ ସ୍କୁଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପାଳନ କରିଥିବା କହିଛନ୍ତି। ତେବେ ଘଟଣା ପରେ ପିଲାମାନେ କ୍ଲାସ୍‌କୁ ଆସିବାକୁ ମନା କରୁଛନ୍ତି। ସେମାନେ ନିଜକୁ ଅତ୍ୟନ୍ତ ଅପମାନିତ ଅନୁଭବ କରୁଛନ୍ତି।