ଏଇ ଭାରତରେ

ବର୍ଜ୍ୟର ସଦ୍‌ଉପଯୋଗ କରି ୯୩ ବର୍ଷୀୟା ମଧୁକାନ୍ତା ଭଟ୍ଟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମଧୁକାନ୍ତା ଅଦରକାରୀ କପଡ଼ାରୁ ବ୍ୟାଗ ତିଆରି କରି ସେଗୁଡ଼ିକୁ ମାଗଣାରେ ବାଣ୍ଟୁଛନ୍ତି। ଏହାଦ୍ୱାରା ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ଅନେକାଂଶରେ କମୁଛି ବୋଲି କହନ୍ତି ମଧୁକାନ୍ତା। ସେ ୫ ବର୍ଷ ହେଲା ପ୍ଲାଷ୍ଟିକ୍‌ ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ ଏହି କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା ମଧୁକାନ୍ତା ୩୫,୦୦୦ କପଡ଼ା ବ୍ୟାଗ ତିଆରି କରି ବାଣ୍ଟି ସାରିଲେଣି। ଇନ୍ଦରାବାଦ ନିବାସୀ ମଧୁକାନ୍ତା ବେକାର କେବେ ବସନ୍ତି ନାହିଁ। ସବୁବେଳେ ସେ ବ୍ୟାଗ ତିଆରି କାମରେ ଲାଗିଥାନ୍ତି। ସେ ସିଲେଇରେ ସ୍ବତନ୍ତ୍ର କୋର୍ସ ନ କରି ମଧ୍ୟ ବିଭିନ୍ନ ଡିଜାଇନ ବ୍ୟାଗ ଓ ଅନ୍ୟ ପୋଷାକ ତିଆରି କରିପାରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି ଜଣେ ବ୍ୟବସାୟୀ। ସେ ମଧୁକାନ୍ତାଙ୍କୁ ଅଦରକାରୀ କପଡ଼ା ଯୋଗାଉଛନ୍ତି। ଏହାକୁ ସେ ବିଭିନ୍ନ କମ୍ପାନୀ ଓ ଦରଜିମାନଙ୍କଠାରୁ ସଂଗ୍ରହ କରୁଛନ୍ତି। ବ୍ୟାଗ୍‌ ବାଣ୍ଟିବା କାର୍ଯ୍ୟରେ ବି ଲୋକଙ୍କ ସହାୟତା ନେଉଛନ୍ତି।