ଦାଦନ ଶ୍ରମିକଙ୍କ ଦୟନୀୟ ଜୀବନରେ ଯବନିକା ଆଣି ନୂଆ ଜୀବନ ଜିଇଁବାରେ ସାହାଯ୍ୟ କରୁଛନ୍ତି ଆଇଏଏସ୍ ଅଧିକାରୀ ଆଲ୍ବି ଜନ୍ ଭର୍ଗିସ। ସେ ତାମିଲନାଡୁର ଗ୍ରାମୀଣ ଅଞ୍ଚଳରୁ ଶତାଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କୁ ଅଧିକ ରୋଜଗାର ଓ ସ୍ବାଧୀନ ଭାବେ କାର୍ଯ୍ୟ କରିବାର ଅଧିକାର ଦେଇପାରିଛନ୍ତି। ଉଦ୍ଧାର କରାଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ବି ଅନେକ ନିଜସ୍ବ ଇଟାଭାଟି କରି ଅନ୍ୟ ଶ୍ରମିକଙ୍କୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି କରିଛନ୍ତି। ତେବେ ଭର୍ଗିସ ଭାରତର ଦ୍ୱିତୀୟ ସଂଖ୍ୟାଧିକ ଦାଦନ ଶ୍ରମିକ ରାଜ୍ୟ ଭାବେ ପରିଚିତ ତାମିଲନାଡୁର ଥିରୁଭାଲୁର ଜିଲାପାଳ ଭାବେ ୪୦୦ ଦାଦନଙ୍କୁ ଉଦ୍ଧାର କରି ଜୀବିକା ଯୋଗାଇଛନ୍ତି। ଏଥିପାଇଁ ସେ ‘ସିରାଗୁଗାଲ ବ୍ରିକ୍ସ’ ନାମକ ଏକ ଗୋଷ୍ଠିଭିତ୍ତିକ ଇଟାଭାଟି କରି ସେଥିରେ ଏମାନଙ୍କୁ ନିଯୁକ୍ତ କରିଛନ୍ତି। ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ଏତଦ୍ବ୍ୟତୀତ ଭାଟିରେ ଶ୍ରମିକମାନେ ସ୍ବାଧୀନ ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ରୋଜଗାର ନିଶ୍ଚିତ ହୋଇଛି ଓ ସେମାନେ ସାମାଜିକ ସ୍ରୋତରେ ନିଜକୁ ସାମିଲ କରିପାରୁଛନ୍ତି ବୋଲି କହନ୍ତି ଭର୍ଗିସ।