ଏଇ ଭାରତରେ

ପେଟ୍‌ ବଟଲକୁ ରିସାଇକେଲ କରି ସେଥିରୁ କରଡ଼ା ଏବଂ ପରେ ବିଭିନ୍ନ ପ୍ରକାର ଉତ୍ପାଦ ତିଆରି କରୁଛନ୍ତି ତାମିଲନାଡୁର ପିତା-ପୁତ୍ର ଯୋଡ଼ି। କେ. ଶଙ୍କର ଓ ତାଙ୍କ ପୁଅ ସେନ୍ଥିଲ ଶ୍ରୀ ରେଙ୍ଗା ପଲିମର କମ୍ପାନୀ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ପେଟ୍‌ ବଟଲକୁ ରିସାଇକେଲ କରି ସେଥିରୁ ଜ୍ୟାକେଟ, ଟି-ଶାର୍ଟ, ବ୍ଲେଜର ଏବଂ ବଟମ ଆଦି ପ୍ରସ୍ତୁତ କରାଯାଉଛି। ଏହି କମ୍ପାନୀରେ ଦିନକୁ ୧୫ ଲକ୍ଷ ବଟଲ ରିସାଇକେଲ ହେଉଛି। ସେମାନେ ପ୍ରସ୍ତୁତ କରୁଥିବା ପୋଷାକରେ ବ୍ରାଣ୍ଡ୍‌ ରଖିଛନ୍ତି ଇକୋଲାଇନ। ୮ଟି ପେଟ୍‌ ବଟଲରେ ଗୋଟିଏ ଟି-ଶାର୍ଟ, ୨୦ଟିରେ ଗୋଟିଏ ଜ୍ୟାକେଟ ଓ ୩୦ଟି ବଟଲରେ ଗୋଟିଏ ବ୍ଲେଜର ତିଆରି କରାଯାଇପାରୁଛି। ବାପ-ପୁଅ ତିନି ଦଶନ୍ଧି ଧରି ଦେଶ ଓ ଦେଶ ବାହାରେ ବିଭିନ୍ନ ରିସାଇକେଲ ସଂସ୍ଥା ସହ ଜଡ଼ିତ ହେବାପରେ ଶେଷରେ ପ୍ଲାଷ୍ଟିକ ବର୍ଜ୍ୟର ସମାଧାନ ଲାଗି ଏହି ଉପାୟ ଆପଣାଇଛନ୍ତି। ୨୦୦୮ରେ ସେମାନେ ପ୍ରଥମେ ରେଙ୍ଗା ପଲିମର ପ୍ରତିଷ୍ଠା କରିଥିଲେ। ଏବେ ଏହା ୧୦୦ କୋଟି ଟଙ୍କା କାରବାର କରୁଛି। କେ. ଶଙ୍କର ଆଇଆଇଟିରୁ ଡିଗ୍ରୀ ହାସଲ କରିଛନ୍ତି ଓ ପୁଅ ସାଧାରଣ ଡିଗ୍ରୀ କରି ପିତାଙ୍କ ସହ କାର୍ଯ୍ୟ କରୁଛନ୍ତି। ଉତ୍ପାଦର ମୂଲ୍ୟ ୫୦୦ରୁ ୬୦୦୦ ଟଙ୍କା ଯାଏ ରଖାଯାଇଛି। ସେମାନେ ମାସକୁ ୨୦,୦୦୦ ଅର୍ଡର ପାଉଛନ୍ତି। ପେଟ୍‌ ବଟଲ ସଂଗ୍ରହ କରିବା ପାଇଁ ସେମାନେ ୫୦,୦୦୦ ବର୍ଜ୍ୟଗୋଟାଳିଙ୍କୁ ଆନ୍ଧ୍ରପ୍ରଦେଶ, କେରଳ, କର୍ନାଟକ, ତାମିଲନାଡୁ ଓ ପୁଡୁଚେରୀରେ ନିୟୋଜିତ କରିଛନ୍ତି।