ମାଟିରେ ଯୋଡ଼େଇ ଇଟା କିମ୍ବା ପଥର ଘର ଦେଖିଛନ୍ତି। କିନ୍ତୁ ପ୍ରାକୃତିକ ପରିବେଶରେ ମାଟି ଓ ପ୍ଲାଷ୍ଟିକ୍ ବୋତଲରେ ନିର୍ମାଣ କରାଯାଇଥିବା ଘର ଏବେ ଦେଖିବାକୁ ମିଳିଛି ତାମିଲନାଡୁର ଶୁଲାଗିରି ଗାଁରେ। ଏହି ଘରକୁ ନିର୍ମାଣ କରିଛନ୍ତି ଆର୍କିଟେକ୍ଚରାଲ ଫାର୍ମ ‘ବୋଲମେକର୍ସ’ର ଆର୍କିଟେକ୍ଟ ବିିନୁ ଡାନିଏଲ। ଏହି ଘରକୁ ସମ୍ପୂର୍ଣ୍ଣ ନିଆରା ଶୈଳୀରେ ନିର୍ମାଣ କରାଯାଇଛି। ଘର ନିର୍ମାଣ କରିବାରେ ବିନୁ ୪,୦୦୦ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଛନ୍ତି। ମୁଖ୍ୟତଃ ଏହି ବୋତଲଗୁଡ଼ିକୁ ଛାତରେ ଲଗାଯାଇଛି। ଘର ଛାତରେ ବି କାଚ ଖଞ୍ଜା ହୋଇଛି, ଫଳରେ ଜଣେ ଘରଭିତରୁ ଆକାଶର ଦୃଶ୍ୟ ଉପଭୋଗ କରିପାରିବେ। ଘରର କାନ୍ଥ ମାଟିରେ ହୋଇଛି। ୨୧୨୨ ବର୍ଗଫୁଟରେ ଉକ୍ତ ଘର ନିର୍ମାଣ କରାଯାଇଛି ଓ ଏହାର ନାମ ରଖାଯାଇଛି ‘ଚୁଞ୍ଜହି’। ମାଲୟାଲମ୍ରେ ଚୁଞ୍ଜହି ଅର୍ଥ ଚକ୍ରାକାର। ପ୍ରକୃତିର କୌଣସି କ୍ଷତି କରା ନ ଯାଇ ନିର୍ମାଣ କରାଯାଇଥିବା ଏହି ଚକ୍ରାକୃତି ଘରେ ଦୁଇଟି ରୁମ୍ ଅଛି। ଘର ତିଆରି ପାଇଁ ସେହି ସ୍ଥାନରୁ କୌଣସି ଗୋଟିଏ ଗଛ କଟାଯାଇନାହିଁ। ଏପରିକି ଗଛ କଟା ନ ଯିବା ପାଇଁ ଶେଷ ମୁହୂର୍ତ୍ତରେ ଡିଜାଇନରେ ପରିବର୍ତ୍ତନ କରାଯାଇଛି। ଘର ଭିତରେ ପଥର ନିର୍ମିତ ବେଡ୍ ରଖାଯାଇଛି। ଏହି ଡିଜାଇନର ଘର ପାଇଁ ବିନୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି।