ଏଇ ଭାରତରେ

ବିଜ୍ଞାନର ଅଗ୍ରଗତି ସହ ଦିନକୁ ଦିନ ନୂଆ ଟେକ୍‌ନିକ ସାମ୍ନାକୁ ଆସୁଛି । ସେଥି ମଧ୍ୟରୁ ଝାଡ଼ଖଣ୍ଡର ଇଞ୍ଜିନିୟର ଗୌରବ ଆନନ୍ଦଙ୍କ ଟେକ୍‌ନିକ ଅନ୍ୟତମ। ଯେଉଁଥିରେ ସେ ଗାଡ଼ିଆ ଦଳରୁ ଶାଢ଼ି ତିଆରି କରିପାରିଛନ୍ତି। ଗାଡ଼ିଆରେ ଦଳ ଖୁବ୍‌ଶୀଘ୍ର ବଢ଼ିବା ଫଳରେ ସୂର୍ଯ୍ୟାଲୋକ ପାଣିରେ ପଡ଼େ ନାହିଁ ଓ ଏଥିପାଇଁ ପାଣି ଦୂଷିତ ହୋଇଥାଏ। ଏହି ସମସ୍ୟା ଦୂର କରିବା ଲାଗି ସେ ଦଳରୁ ସୂତା ପ୍ରସ୍ତୁତ କରି ପଶ୍ଚିମବଙ୍ଗ ଶାନ୍ତିପୁରାର ବୁଣାକାରମାନଙ୍କ ଦ୍ୱାରା ଶାଢ଼ି ତିଆରି କରୁଛନ୍ତି। ଏହି ଶାଢ଼ି ଖୁବ୍‌ ସୁନ୍ଦର ହେଉଛି । ଏହାକୁ କୁହାଯାଉଛି ଫ୍ୟୁଜନ ଶାଢ଼ି। ଏବେ ୨୫ କେ.ଜି. ଦଳରୁ ଗୋଟିଏ ଶାଢ଼ି ତିଆରି ହୋଇପାରୁଛି। ୨୦୨୨ରେ ଶାନ୍ତିପୁରାର ମହିଳାମାନେ ପ୍ରଥମେ ଶାଢ଼ି ବୁଣିଥିଲେ। ଏବେ ଗାଁର ୪୫୦ ମହିଳାଙ୍କୁ ଗୌରବ ଏହି କାର୍ଯ୍ୟରେ ନିଯୁକ୍ତ କରିଛନ୍ତି। ଗୌରବ ମଧ୍ୟ ‘ସ୍ବଚ୍ଛତା ପୁକାର’ ନାମକ ଏକ ସଂସ୍ଥା ଚଳାଉଛନ୍ତି। ଏହି ସଂସ୍ଥା ଦ୍ୱାରା ନଦୀ ସଫା ଲାଗି ଅଭିଯାନ ଚାଲିଛି। ଏହି ଅଭିଯାନ ଚଳାଉଥିବା ସମୟରେ ପୁଷ୍କରିଣୀରେ ଦଳ ଦେଖି ତାହାର ସମାଧାନ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପରେ ସେ ସେଥିରୁ ସୂତା ଓ ଶାଢ଼ି ତିଆରି କରିବାକୁ ସକ୍ଷମ ହୋଇଥିଲେ।