ଏଇ ଭାରତରେ

ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରାଯିବାର ବହୁ ପୂର୍ବରୁ ବେଙ୍ଗାଲୁରୁ ସ୍ଥିତ ଷ୍ଟାର୍ଟଅପ୍‌ ‘ସନ୍‌ବ୍ରିଡ୍‌ ଷ୍ଟ୍ର’ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ଲାଗି ଏକ ନିଆରା ପଦ୍ଧତି ଆବିଷ୍କାର କରିଛି। ଏହା ମାଧ୍ୟମରେ ନଡ଼ିଆ ପତ୍ରରୁ ଷ୍ଟ୍ର ତିଆରି କରାଯାଉଛି। ଏହି ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ହେଉଛନ୍ତି କ୍ରାଏଷ୍ଟ ୟୁନିଭର୍ସିଟି ବେଙ୍ଗାଲୁରୁର ସହକାରୀ ପ୍ରାଧ୍ୟାପକ ସାଜି ଭର୍ଗିସ୍‌। ସାଜିଙ୍କ ବୟସ ୫୧। ସେ ୟୁନିଭର୍ସିଟି ପରିସରରେ ଶୁଖିଲା ନଡ଼ିଆ ବାହୁଙ୍ଗା ସବୁ ପଡ଼ିଥିବାର ଲକ୍ଷ୍ୟକରି ଏହାର ପରିବେଶ ଉପଯୋଗୀ ଉପଯୋଗ କରିବାକୁ ୨୦୧୭ରେ ନିଷ୍ପତ୍ତି ନେଇଥିଲେ। ୨୦୧୯ ସୁଦ୍ଧା ‘ସନ୍‌ବ୍ରିଡ ଷ୍ଟ୍ର’ ଷ୍ଟାର୍ଟଅପ ପ୍ରତିଷ୍ଠା କରି ତା’ ମାଧ୍ୟମରେ ନଡ଼ିଆ ପତ୍ରକୁ ବ୍ୟବହାର କରି ଷ୍ଟ୍ର ତିଆରି କରିବା ଆରମ୍ଭ କରିଥିଲେ। ଗୋଟିଏ ନଡ଼ିଆ ବାହୁଙ୍ଗାରେ ଯେତିକି ପତ୍ର ଅଛି ସେଥିରୁ ୨୦୦ ଷ୍ଟ୍ର ତିଆରି କରାଯାଇପାରୁଛି। ସମ୍ପୂର୍ଣ୍ଣ ରସାୟନ ମୁକ୍ତ ପଦ୍ଧତିରେ ଏହାକୁ ତିଆରି କରାଯାଉଛି। ଏହି ଷ୍ଟ୍ର ମାଟିରେ ବି ମିଶିଯାଉଛି। ଏହା କୌଣସି ଦ୍ରବଣରେ ତିନିଘଣ୍ଟା ଯାଏ ରହିପାରୁଛି। ଗୋଟିଏ ଷ୍ଟ୍ରର ମୂଲ୍ୟ ରହିଛି ୫ ଟଙ୍କା। ଏବେ ସୁଦ୍ଧା ସାଜି ୧୦ଟିରୁ ଊର୍ଦ୍ଧ୍ୱ ଦେଶରୁ ୨ କୋଟିରୁ ଅଧିକ ଅର୍ଡର ପାଇସାରିଲେଣି। ଷ୍ଟ୍ର ତିଆରି କାର୍ଯ୍ୟରେ ସେ କେରଳ, ତାମିଲନାଡୁ ଓ କର୍ନାଟକର ୧୦୦ ଗ୍ରାମୀଣ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ଏହି ପରିବେଶ ଉପଯୋଗୀ ଷ୍ଟ୍ର ଲାଗି ସାଜିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।