ଏଇ ଭାରତରେ

ଚିକିତ୍ସାରେ ସୀମିତ ରହିନାହାନ୍ତି ବିହାରର ଡାକ୍ତର ଶଙ୍କର ନାଥ। ସେ ସାମାଜିକ ସ୍ତରରେ ଅତ୍ୟନ୍ତ ପଛୁଆ ମୁଶାହାର ବର୍ଗର ଉତ୍‌ଥାନ ପାଇଁ ଦୁଇ ଦଶନ୍ଧି ହେଲା ନିରବଚ୍ଛିନ୍ନ ଚେଷ୍ଟା ଜାରି ରଖିଛନ୍ତି। ଏହି ବର୍ଗରେ ବାଲ୍ୟବିବାହ ବଳବତ୍ତର ରହିଛି। ଏହା ବ୍ୟତୀତ ଶିକ୍ଷାରେ ଏମାନେ ଅତ୍ୟନ୍ତ ପଛୁଆ। ଡା. ଶଙ୍କର ୨୦୦୭ ମସିହାରୁ ପାଖାପାଖି ୫୦୦୦ ପିଲାଙ୍କୁ ସ୍କୁଲରେ ଶିକ୍ଷା ଦେବାର ବ୍ୟବସ୍ଥା କରିସାରିଲେଣି। ଏହାବାଦ୍‌ ୪୦୭ ପିଲାଙ୍କୁ ଶିଶୁ ଶ୍ରମିକ ଓ ବାଲ୍ୟବିବାହ ଫାଶରୁ ମୁକୁଳାଇବାରେ ସକ୍ଷମ ହୋଇଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ବିହାରରେ ୨.୫ ଲକ୍ଷ ମୁଶାହାର ଥିଲେ। ଏବେ ଏହି ସଂଖ୍ୟା ଏହାଠାରୁ ନିଶ୍ଚିତ ଭାବେ ଅଧିକ ହେବ। ଏମାନଙ୍କ ପିଲାମାନଙ୍କୁ ସଶକ୍ତ କରିବା ଲାଗି ଡା. ଶଙ୍କରଙ୍କ ପ୍ରଚେଷ୍ଟା ଏକ ବଡ଼ ପରିବର୍ତ୍ତନ ଆଣିଛି। ଏମାନଙ୍କୁ ଏକପ୍ରକାର ସାମାଜିକ ବାସନ୍ଦ ଭଳି ଲୋକେ ଦେଖିଥାନ୍ତି। ଏଭଳି ଏକ ଅସ୍ପୃଶ୍ୟତର ଶିକୁଳିକୁ ଭାଙ୍ଗି ପିଲାମାନଙ୍କ ଶିକ୍ଷା ପାଇଁ ସେ ୮୫ଟି କମ୍ୟୁନିଟି କଲଚର ଏଜୁକେଶନ ସେଣ୍ଟର ଖୋଲିଛନ୍ତି। ଏହି ସେଣ୍ଟରରେ ଏବେ ୫୦୦୦ ପିଲା ପଢ଼ୁଛନ୍ତି ଓ ଶିକ୍ଷାଦାନରେ ୮୦ ଜଣ ସ୍ବେଚ୍ଛାସେବୀ ନିଯୁକ୍ତ ହୋଇଛନ୍ତି। କଲେଜରେ ପଢୁଥିବା ମୁଶାହାର ବର୍ଗର ପିଲାମାନେ ବି ଏବେ ଡା. ଶଙ୍କରଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି।