ଏଇ ଭାରତରେ

ବ୍ୟବହୃତ ପ୍ଲାଷ୍ଟିକ୍‌ ବୋତଲ ଓ ଷଢ଼େଇ(ମୁଖ୍ୟତଃ ପିଇବା ପରେ ଫିଙ୍ଗି ଦିଆଯାଉଥିବା ଖାଲି ପଇଡ଼)ରେ କରାଯାଇଥିବା ମିନି ବା ଛୋଟ ଜଙ୍ଗଲ କେବେ ଦେଖିଛନ୍ତି? ଏପରି ମିନି ଜଙ୍ଗଲ କରିଛନ୍ତି ଭୋପାଳର ସାକ୍ଷୀ ଭରଦ୍ୱାଜ। ସାକ୍ଷୀ ମାଇକ୍ରୋବାୟୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି। ସେ ବିଭିନ୍ନ ସ୍ଥାନରୁ ଅଦରକାରୀ ପ୍ଲାଷ୍ଟିକ ବୋତଲ ଓ ଷଢ଼େଇ ସଂଗ୍ରହ କରିବା ପରେ ତାହାକୁ ସଫା କରି ସେଥିରେ ଗଛ ଲଗାଉଛନ୍ତି । ସାକ୍ଷୀ ୪୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଇଛନ୍ତି। ଏହି ସବୁ ଗଛ ଘରର କାନ୍ଥରେ ଝୁଲନ୍ତା ଅବସ୍ଥାରେ କିମ୍ବା ଚଟାଣରେ ରଖାଯାଇଛି। ସେ ପ୍ରାୟ ୪୫୦ ପ୍ରଜାତିର ଓଷଧୀୟ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ଲଗାଇଛନ୍ତି। ଏଥିରେ ୧୫୦ ପ୍ରଜାତିର ବିଦେଶୀ ଗଛ ବି ଅଛି। ଗଛରେ ଜିଆଖତ ଓ କିଚେନ ବର୍ଜ୍ୟରୁ ପ୍ରସ୍ତୁତ ଖତ ଦିଆଯାଉଛି। ସାକ୍ଷୀ ବ୍ୟବହୃତ କ୍ଷୀର ପ୍ୟାକେଟ ସଂଗ୍ରହ କରି ଚାରା ଉତ୍ତାରୁଛନ୍ତି ଓ ଆଗକୁ ଏକ ନର୍ସରି କରି ବିଦେଶୀ ତଥା ବିରଳ ଗଛ ଲୋକଙ୍କୁ ଯୋଗାଇ ଦେବା ଲାଗି ଯୋଜନା କରିଛନ୍ତି। ସାକ୍ଷୀଙ୍କ ମତରେ, ଘରେ ଏଭଳି ମିନି ଜଙ୍ଗଲ କରିବା ଦ୍ୱାରା ଘରର ପରିବେଶ ପ୍ରଦୂଷଣମୁକ୍ତ ହେବା ସହ ତାହା ମାନସିକ ଶାନ୍ତିଦାୟକ ହେବ।