ଏଇ ଭାରତରେ

ମାଞ୍ଜାପାଇ ବ୍ୟାଗ ନାଁ ଶୁଣିଛନ୍ତି କି? ଏମିତି ଏକପ୍ରକାର ସୂତାବ୍ୟାଗ ପରିବେଶ ପ୍ରଦୂଷଣ ରୋକିବାରେ ମୁଖ୍ୟ ଭୂମିକା ନେଉଛି। ଏହି ବ୍ୟାଗ୍‌ର ରଙ୍ଗ ହଳଦିଆ। ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁ ଏହାର ବ୍ୟବହାରକୁ ବ୍ୟାପକ କରିବାକୁ ଲାଗିପଡ଼ିଛନ୍ତି। ସୁପ୍ରିୟା ଏବେ ତାମିଲନାଡୁର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ। ମାଞ୍ଜାପାଇ ବ୍ୟାଗ୍‌ ବହୁ ପୂର୍ବରୁ ଲୋକେ ବ୍ୟବହାର କରୁଥିଲେ। ଏହାକୁ ଲୋକପ୍ରିୟ କରିବା ଲାଗି ସୁପ୍ରିୟା ଓ ତାଙ୍କ ଟିମ୍‌ ମାଞ୍ଜାପାଇ ବ୍ୟାଗ ଅଭିଯାନ ଆରମ୍ଭ କରିଛନ୍ତି। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକରୁ ଲୋକମାନଙ୍କୁ ଦୂରେଇ ନେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। କେବଳ ଏତିକି ନୁହେଁ, ସୁପ୍ରିୟା ଏବଂ ତାଙ୍କ ଟିମ୍‌ ଗତ ୧୨ ମାସରେ ୧,୭୦୦ ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ କରିସାରିଲେଣି। ସୁପ୍ରିୟା ମୁଖ୍ୟତଃ ସ୍କୁଲ ପିଲାମାନଙ୍କୁ ନେଇ ଏହି କାମ କରୁଛନ୍ତି ଓ ସେମାନଙ୍କ ଦ୍ୱାରା ୩୦୦୦ ଇକୋ କ୍ଲବ୍‌ ବି ଗଠନ କରିସାରିଛନ୍ତି। ଏହି ବ୍ୟାଗ୍‌କୁ ଏବେ ସେ ସବୁ ଜିଲାର ପଞ୍ଚାୟତ ଓ ଗାଁ ସ୍ତରରେ ପହଞ୍ଚାଇବା ଲାଗି ଯୋଜନା କରିଛନ୍ତି।