ଏଇ ଭାରତରେ

ଫୁଟ୍‌ପାଥ ସ୍କୁଲ ବିଷୟରେ କେବେ ଶୁଣିଛନ୍ତି କି? ଏମିତିକା ସ୍କୁଲ ଏବେ ଚାଲିଛି ଗାଜିଆବାଦରେ। ଏନ୍‌ଟିପିସିରୁ ଅବସର ନେବା ପରେ ନିରଜା ସାକ୍‌ସେନା ଏହି ସ୍କୁଲ ଚଳାଉଛନ୍ତି। ଲକ୍‌ଡାଉନ ସମୟରେ ଏଭଳି ଫୁଟ୍‌ପାଥ ସ୍କୁଲ ଚଳାଇବା ଲାଗି ନିରଜା ନିଷ୍ପତ୍ତି ନେଇଥିଲେ ଓ ତାହା ଦୁଇ ବର୍ଷ ହେଲା ଚାଲିଛି। ଏଠାରେ କେବଳ ଅସହାୟ ପିଲାମାନେ ପଢୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ପିଲାମାନଙ୍କଠାରୁ ଫିସ୍‌ ଆକାରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ନେଉଛନ୍ତି। ଏବେ ଏହି ସ୍କୁଲରେ ୪୦ ଜଣ ପିଲା ପଢୁଛନ୍ତି। ପିଲାମାନଙ୍କ ପଢ଼ିବା ଖର୍ଚ୍ଚ ସହ ଖାଦ୍ୟ, ପୋଷାକ ଓ ପାଠ୍ୟ ଉପକରଣ ମାଗଣାରେ ଯୋଗାଇ ଦିଆଯାଉଛି। ଏହି ସ୍କୁଲରେ ନିରଜା ପିଲାମାନଙ୍କୁ ପରିବେଶ ସଂରକ୍ଷଣ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଏହି ପିଲାମାନେ ବି ପରିବେଶ ଉପଯୋଗୀ ଇଟା ପ୍ରସ୍ତୁତ କରିପାରୁଛନ୍ତି। ବଡ଼ ପିଲା ମାସକୁ ୪ଟି ଓ ଛୋଟ ପିଲା ୨ଟି ଇଟା ତିଆରି କରି ନିରଜାଙ୍କୁ ଦେଉଛନ୍ତି। ଏବେ ସୁଦ୍ଧା ପିଲାମାନେ ୪୦୦୦ ଇଟା ତିଆରି କରି ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପରିବେଶକୁ ରକ୍ଷା କରିବାରେ ଲାଗିଛନ୍ତି। ପିଲାମାନେ ବି ବୃକ୍ଷରୋପଣ କରୁଛନ୍ତି।