ଏଇ ଭାରତରେ

ଘରୋଇ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ କହିଛନ୍ତି ଯେ, ଗୃହପାଳିତ ପ୍ରାଣୀମାନେ ଲୋକଙ୍କୁ ସୁସ୍ଥ ଜୀବନଯାପନରେ ଏବଂ ସମ୍ପର୍କର ଦ୍ୱନ୍ଦ୍ୱ କାରଣରୁ ଉପୁଜୁଥିବା ଭାବପ୍ରବଣତାକୁ ଦୂର କରିବାରେ ସାହାଯ୍ୟ କରନ୍ତି। ଏଣୁ ଏମାନେ ଭରଣପୋଷଣ ପାଇବା ଲାଗି ଯୋଗ୍ୟ। ଏହି ପରିପ୍ରେକ୍ଷୀରେ, ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା ଭରଣପୋଷଣ ଦାବି କରି କହିଥିଲେ ଯେ, ତାଙ୍କର ତିନି କୁକୁର ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ। ତେଣୁ ତାଙ୍କୁ ଭରଣପୋଷଣ ଦିଆଯାଉ। ଏହି ମାମଲାରେ ବାନ୍ଦ୍ରା କୋର୍ଟର ମାଜିଷ୍ଟ୍ରେଟ କୋମଲ ସିଂ ରାଜପୁତ ତାଙ୍କ ମଧ୍ୟବର୍ତ୍ତୀ ଆଦେଶରେ ସମ୍ପୃକ୍ତ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ଓ ପୋଷା କୁକରଙ୍କୁ ଭରଣପୋଷଣ ବାବଦରେ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହିଳା ଜଣକ ବେଙ୍ଗାଲୁରୁର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ଯୋଗୁ ବ୍ୟବସାୟୀ ତାଙ୍କୁ ମୁମ୍ବାଇ ପଠାଇଲେ। ମହିଳା ଜଣକ ବ୍ୟବସାୟୀଙ୍କୁ ଘରୋଇ ହିଂସା ଅଭିଯୋଗ ଆଣି ସେ ଅସୁସ୍ଥ ଥିବା ଏବଂ ରୋଜଗାରର କୌଣସି ଉତ୍ସ ନାହିଁ ବୋଲି ପିଟିଶନରେ ଜଣାଇଥିଲେ।