ଏଇ ଭାରତରେ

ଟମାଟୋ ଏବେ ଅମୂଲମୂଲ। ଯେଉଁଠି କିଲେ କି ଦୁଇ କିଲେ କିଣିଲେ ବାଧୁ ନ ଥିଲା ଏବେ ୨୦୦ଗ୍ରାମ୍‌ କିଣିବାବେଳକୁ ଦୁଇ ଥର ଚିନ୍ତା କରିବାକୁ ପଡ଼ୁଛି। କିଛି ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ଦେଶର ବିଭିନ୍ନ ରାଜ୍ୟରେ ୨୦୦ଟଙ୍କା ଅତିକ୍ରମ କରିଛି। ସମାନ ସ୍ଥିତି ଦେଖିବାକୁ ମିଳିଛି ଜମ୍ମୁ-କଶ୍ମୀରରେ। ପୁଞ୍ଚରେ ୧ କିଲୋ ଟମାଟୋ ଦାମ୍‌ ୨୫୦ ଟଙ୍କା ଛୁଇଁଛି। ସାମ୍ବାରେ ଟମାଟୋ କିଲୋଗ୍ରାମ ପିଛା ୨୩୦ରୁ ୨୪୦ ଟଙ୍କା, କଠୁଆରେ ୨୦୦ ଟଙ୍କା, ଉଦାମପୁର ଓ ରାଜୌରୀରେ ୧୬୦ ଟଙ୍କା, ଜମ୍ମୁ ସହରରେ ୧୬୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ଲକ୍ଷ୍ୟ କରି ଜମ୍ମୁ-କଶ୍ମୀରରେ କୃଷକମାନଙ୍କୁ ଟମାଟୋ କ୍ଷେତକୁ ପ୍ରାଣୀଙ୍କ ଦାଉରୁ ରକ୍ଷା କରିବା ପାଇଁ ଜଗିବାରେ ଯେତିକି ସମୟ ଦେବାକୁ ପଡ଼ୁନାହିଁ ତାହାଠାରୁ ଅଧିକ ସମୟ ଦେଉଛନ୍ତି ଚୋର ଜଗିବାରେ। ଟମାଟୋର ଆକାଶଛୁଆଁ ଦର ଦେଖି ସେମାନଙ୍କୁ ଚୋରି ଭୟ ବେଶି ଘାରିଛି। ଜମ୍ମୁ-କଶ୍ମୀର ପରଗୱାଲର ଗରଖଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କୃଷକମାନେ ଲାଠି ଧରି ଗୋରୁ ଓ ଚୋରମାନଙ୍କଠାରୁ ରକ୍ଷା କରିବା ପାଇଁ ଟମାଟୋ କ୍ଷେତକୁ ଦିନ ରାତି ଜଗି ରହିଛନ୍ତି।