ଏଇ ଭାରତରେ

ଭାରତରେ ବାହାଘରରେ ପ୍ଲାଷ୍ଟିକ୍‌ ବ୍ୟବହାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏହାକୁ ଦୂର କରିବା ଲାଗି ବେଙ୍ଗାଲୁରୁର ଦୁଇ ମହିଳାଙ୍କ ପ୍ରୟାସ ପ୍ରେରଣାଦାୟକ। ଏହି ଦୁଇ ମହିଳା ହେଉଛନ୍ତି ବର ଓ କନ୍ୟାଙ୍କ ମାତା। କନ୍ୟାଙ୍କ ମାତା ଚାରୁଲତା ଆର୍‌. ଏବଂ ବରଙ୍କ ମାତା ଅନୁପମା ହରିଶ ଏଭଳି ପ୍ଲାଷ୍ଟିକ୍‌ମୁକ୍ତ ବାହାଘର ପାଇଁ ନିଷ୍ପତ୍ତି ନେଇଥିଲେ ଓ ସେଥିରେ ସଫଳ ହୋଇଛନ୍ତି। ଆଶୁତୋଷ ଓ ନିଧିଙ୍କ ଲଗ୍ନ ସ୍ଥିର ହେବାପରେ ଚାରୁଲତା ଏମିତିକା ବାହାଘର ପାଇଁ ସର୍ତ୍ତ ରଖିଥିଲେ ଓ ଅନୁପମା ଏଥିରେ ସହମତି ପ୍ରକାଶ କରିଥିଲେ। ବାହାଘରରେ ପ୍ରାୟ ୧୦୦୦ ଅତିଥିଙ୍କୁ ଷ୍ଟିଲ୍‌ ପ୍ଲେଟ୍‌ ଓ କଦଳୀ ପତ୍ରରେ ଖାଦ୍ୟ ପରଷା ଯାଇଥିଲା। କୌଣସିଠାରେ ପ୍ଲାଷ୍ଟିକ୍‌ ଫୁଲ ବ୍ୟବହାର ହୋଇ ନ ଥିଲା। କେବଳ ଏତିକି ନୁହେଁ, ଖାଦ୍ୟ ନଷ୍ଟ ନ ହେବା ଲାଗି ସେମାନେ ସେଠାରେ ଅତିଥିମାନଙ୍କ ପାଇଁ ସଚେତନତାର ବାର୍ତ୍ତା ଉଲ୍ଲେଖ କରିଥିଲେ। ସାଜସଜ୍ଜାରେ ମଧ୍ୟ ପ୍ଲାଷ୍ଟିକ୍‌ ବ୍ୟବହାରକୁ ବାରଣ କରାଯାଇଥିଲା। ଏହି ବାହାଘର ଶେଷ ହେବା ପରେ ବର୍ଜ୍ୟକୁ ଖତ ତିଆରି କରୁଥିବା ୟୁନିଟ୍‌କୁ ପଠାଇଥିଲେ। ବଡ଼ କଥା ହେଉଛି ନିମନ୍ତ୍ରଣପତ୍ରରେ ଉଭୟପକ୍ଷ ଲେଖିଥିଲେ ଯେ ଆମେ ସବୁଠୁ କମ୍‌ ବର୍ଜ୍ୟରେ ବାହାଘର କରିବାକୁ ଚେଷ୍ଟା କରୁଛୁ, ଏଣୁ କେହି କୌଣସି ଉପହାର ନ ଆଣିବାକୁ ଅନୁରୋଧ।