ଏଇ ଭାରତରେ

ରୋଜଗାର କହିଲେ ଚା’ଦୋକାନରୁ ଯାହା ହୁଏ ସେତିକି। ସେହି ଆୟରେ ପରିବାର ଚଳାଇ ଗରିବ ପିଲାମାନଙ୍କ ଶିକ୍ଷା ଲାଗି ସେଥିରୁ ୮୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି କାନପୁରର ମେହବୁବ୍‌ ମଲିକ। ଦୀର୍ଘ ୮ ବର୍ଷ ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ମେହବୁବ୍‌ ଆର୍ଥିକ ସମସ୍ୟା ଯୋଗୁ ତାଙ୍କ ପଢ଼ାରେ ଡୋରି ବାନ୍ଧିଥିଲେ ବି ଶିକ୍ଷାର ମହତ୍ତ୍ୱ ଉପଲବ୍ଧି କରି ଗରିବ ପିଲାମାନଙ୍କୁ ସ୍କୁଲକୁ ପଠାଉଛନ୍ତି ଓ ସେମାନଙ୍କ ସବୁ ଖର୍ଚ୍ଚ ବହନ କରୁଛନ୍ତି। ୩୪ ବର୍ଷୀୟ ମେହବୁବ୍‌ ପିଲାଙ୍କ ଉତ୍ତମ ଭବିଷ୍ୟତ ପାଇଁ ‘ମା ତୁଝେ ସଲାମ ସୋସିଆଲ ଫାଉଣ୍ଡେଶନ’ଗଢ଼ି ତା’ ମାଧ୍ୟମରେ ଏହି କାର୍ଯ୍ୟ ସଞ୍ଚାଳନ କରୁଛନ୍ତି। ଚା’ଦୋକାନ ଆୟରେ ପ୍ରଥମେ ସେ ୪ ଜଣ ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଯେଉଁମାନଙ୍କ ମା’ ବାପା କାମ କରିବାକୁ ଯାଉଥିଲେ ସେମାନଙ୍କ ପିଲାମାନଙ୍କୁ ସେ ପଢ଼ାଉଥିଲେ। ତେବେ ବର୍ତ୍ତମାନ ଏହି ଫାଉଣ୍ଡେଶନ ମାଧ୍ୟମରେ ସେ ୨ ପ୍ରାଥମିକ ବିଦ୍ୟାଳୟ ଚଳାଉଛନ୍ତି ଓ ଏଥିରେ ୧୨ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ଏବେ ସେହି ବିଦ୍ୟାଳୟରେ ମୋଟ ୧୫୦୦ ବସ୍ତି ପିଲା ପଢୁଛନ୍ତି। ପ୍ରାଥମିକ ଶିକ୍ଷା ପରେ ପିଲାମାନଙ୍କୁ ମେହବୁବ୍‌ ହାଇସ୍କୁଲରେ ନାମ ଲେଖାଉଛନ୍ତି।